ନାଲ‌୍‌କୋରୁ ଧରାପଡ଼ିଲେ ଦୁଇ ଅଣଓଡ଼ିଆ ଯୁବକ, କାର୍ ଜବତ

ନାଲକୋନଗର: ନାଲକୋ କଲୋନିରେ ବୁଧବାର ବିଳମ୍ବିତ ରାତିରେ ଏକ କ୍ୱାର୍ଟର୍ସରୁ ଚୋରି ଉଦ୍ୟମ କରୁଥିବା ବେଳେ ଦୁଇଜଣ ଅଣଓଡ଼ିଆ ଯୁବକଙ୍କୁ ନାଲକୋ ପୁଲିସ ଓ ସୁରକ୍ଷା କର୍ମଚାରୀମାନେ ଧରିବାରେ ସଫଳ ହୋଇଛନ୍ତି। ରାୟଗଡା, ଛତିଶଗଡ଼ ଅଞ୍ଚଳରୁ ଆସିଥିବା ଏହି ଦୁଇଜଣ ଅଣଓଡ଼ିଆ ଯୁବକ ନାଲକୋ ଷ୍ଟାଡିୟମଠାରୁ ଶହେ ମିଟର ଦୂରରେ ଥିବା କାର୍ ଗ୍ୟାରେଜରେ ପୂର୍ବରୁ ଚୋରି ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ମଧ୍ୟରାତ୍ରିରେ ଦୁଇଜଣଙ୍କ ମଧ୍ୟରୁ ଜଣେ ଗତିବିଧି ଅନୁମାନ କରୁଥିବା ବେଳେ ଅନ୍ୟ ଜଣେ ଗ୍ୟାରେଜ ନିକଟରେ ଏକ ତାଲା ପଡିଥିବା କ୍ୱାର୍ଟର୍ସର ଗ୍ରୀଲ ଭିତରକୁ ଯିବା ସମୟରେ ଉକ୍ତ କ୍ୱାର୍ଟର୍ସ ନିକଟରେ ଥିବା ଜଣେ ସୁରକ୍ଷା କର୍ମୀଙ୍କ ନଜର ପଡ଼ିଥିଲା। ଯୁବକ ଜଣକ ଏହା ଜାଣିବା ପରେ ପ୍ରାଚୀର କଡ଼ ଦେଇ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀ ତୁରନ୍ତ ଠିକା ସୁରକ୍ଷା କର୍ମୀ(ଆଇ.ଏସ.ଏ.ଏସ)ଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ପରେ ନାଲ୍‌କୋ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକକୁ କାବୁ କରିଥିଲେ। ଉଭୟ ଛତିଶଗଡ଼, ରାୟଗଡ ଅଞ୍ଚଳରୁ ରବିବାରଠାରୁ ଆସି ନାଲକୋ ପରିସରରେ ଲୁଚି ରହିଥିବା ସୂଚନା ଦେଇଥିଲେ। ନାଲକୋ ସୁରକ୍ଷା କର୍ମୀ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ଉଭୟଙ୍କୁ ନାଲକୋ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଅଭିଯୁକ୍ତଙ୍କ କାର୍‌କୁ ଜବତ କରିବା ସହ ତାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର