ଇକୋ ପାର୍କ ଘରୋଇକରଣ ପ୍ରସଙ୍ଗ:ଭାଗ ଛିଡୁନି, ହୋଇପାରୁନି ନିଷ୍ପତ୍ତି!

ଅନୁଗୁଳ: କିଛିଦିନ ଧରି ଚର୍ଚାରେ ରହିଥିବା ଅନୁଗୁଳର ଇକୋ ପାର୍କ ଏବେ ଘରୋଇକରଣ ହେବାକୁ ଯାଉଛି। ଏଥିପାଇଁ ଟେଣ୍ଡର ସରିଥିବା ବେଳେ କେବଳ ଠିକାଦାର ନିଯୁକ୍ତ ହେବାକୁ ରହିଛି। ହେଲେ ୧୦ ଦିନ ବିତିଥିଲେ ମଧ୍ୟ ଠିକାଦାର ନିଯୁକ୍ତ ହୋଇ ପାରୁନାହାନ୍ତି। କାହାକୁ ଠିକା ଦିଆଯିବ ନିଷ୍ପତ୍ତି ନିଆଯାଇପାରୁନାହିଁ। ଜଣେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ତାଲିକାର ଶୀର୍ଷରେ ରହିଥିବା ବେଳେ ତାକୁ କାଟି ଅନ୍ୟ ଜଣକୁ ଦେବା ପାଇଁ ପ୍ରସ୍ତୁତି ଚାଲିଛି। ବାସ୍ତବରେ ନିଜ ଲୋକକୁ ଦେବା ପାଇଁ ଯୋଜନା ହୋଇଥିବା କୁହାଯାଉଛି। ଏଥିରୁ ଯେଉଁ ମୋଟାଅଙ୍କର ହାତଗୁଞ୍ଜା ଆସିବ ତାହାକୁ ନେଇ ଭାଗ ଛିଡ଼ୁ ନାହିଁ। ସେଥିପାଇଁ କୁଆଡ଼େ ଠିକା ଚୂଡ଼ାନ୍ତ ହୋଇ ପାରୁନଥିବା ଚର୍ଚା ହେଉଛି।
ଅନ୍ୟପଟେ ଟେଣ୍ଡର ପ୍ରକ୍ରିୟାକୁ ନେଇ ଗୁରୁତର ଅଭିଯୋଗ ଆସିଛି। ଏଥିରେ ୩ ଲକ୍ଷ ଟଙ୍କା ସିକ୍ୟୁରିଟି ଜମା ଦେବାକୁ ରହିଛି। ଏଥିପାଇଁ ଇ-ଟେଣ୍ଡର ହେବା କଥା। ହେଲେ ମାନୁଆଲ ଟେଣ୍ଡର କରାଯାଇଥିଲା। ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ବାହାରିଥିବା ଏହି ଟେଣ୍ଡରକୁ ନେଇ କେତେଜଣ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିଯୋଗ କରିଛନ୍ତି। ପୌରସଂସ୍ଥାରୁ ଟେଣ୍ଡର ପେପର କିଣି ଏହି ଟେଣ୍ଡର ପକାଇବା ପାଇଁ ବ୍ୟବସ୍ଥା ହୋଇଥିବାରୁ ଟେଣ୍ଡର କିଏ ପକାଉଛି ଜଣାପଡ଼ିଥିଲା। ସେଥିପାଇଁ ମାତ୍ର ୩ ଜଣ ଭାଗ ନେଇଥିଲେ। ସେଥିରେ ଗୋଟିଏ ସଂସ୍ଥା ଦୁଇଟି ନାମରେ ପକାଇଥିବା ମଧ୍ୟ ଅଭିଯୋଗ ରହିଛି।
ଟେଣ୍ଡର ସର୍ତକୁ ନେଇ ଆଉ ଗୋଟିଏ ଅଭିଯୋଗ ଆସିଛି। ସର୍ତ ମୁତାବକ, ଯେଉଁ ବ୍ୟକ୍ତି ଆବେଦନ କରିବେ ତାଙ୍କର ପୂର୍ବରୁ ୫୦ ଲକ୍ଷ ବା ତଦୁର୍ଦ୍ଧ ଟଙ୍କାର ପାର୍କ ନିର୍ମାଣ ଅଭିଜ୍ଞତା ରହିଥିବ। ପାର୍କର ରକ୍ଷଣା ବେକ୍ଷଣ ପାଇଁ ଏହି ଟେଣ୍ଡର କରାଯାଉଥିବା ବେଳେ ନିର୍ମାଣ ଅଭିଜ୍ଞତା ତାହା ପୁଣି ୫୦ ଲକ୍ଷ ଟଙ୍କାର ସର୍ତ କାହିଁକି ରହିଛି ପ୍ରଶ୍ନ ଉଠିଛି। ଏକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ଦେଖାଇବାକୁ ଯାଇ ଏଭଳି ଏକ ସର୍ତ ରଖାଯାଇଥିବା ଅଭିଯୋଗ ହୋଇଛି।
ଆଉ ଏକ ଅଭିଯୋଗ ହେଉଛି ପାର୍କକୁ ଟେଣ୍ଡର ଦେବାକୁ ନେଇ ପୌରସଭାରେ ନିଷ୍ପତ୍ତି ହୋଇନାହିଁ। ପ୍ରଥମେ ପୌରସଭାରେ ଆଲୋଚନା ହୋଇ ଚୂଡ଼ାନ୍ତ ହେବା ପରେ ଟେଣ୍ଡର ହେବା କଥା। କିନ୍ତୁ ପୌରସଭାରେ ଆଲୋଚନା କଲେ କାଳେ ବିରୋଧ ହେବ ଓ ନିଜ ଲୋକ ଟେଣ୍ଡର ନ ପାଇବ ସେଥିପାଇଁ ଏଭଳି କରାଯାଇଥିବା ସରକାରଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ନିକଟ ଅତୀତରେ ଏହି ପାର୍କ ଟେଣ୍ଡର ପୂର୍ବରୁ ରାତିଅଧିଆ ମାଛ ଧରା ହୋଇଥିଲା। ଏହି ଅଭିଯୋଗରେ ଠିକାସଂସ୍ଥା ଅଧୀନରେ ଚାକିରି କରିଥିବା ଦୁଇଜଣ କର୍ମଚାରୀଙ୍କୁ ପୌରାଧିକାରୀ ନିଲମ୍ବିତ କରିଥିଲେ। ହେଲେ ଅପରିଚିତ ଚୋରଙ୍କ ବିରୋଧରେ ଥାନାରେ ଏତଲା ଦେଇନଥିଲେ କିମ୍ବା ଚୋରକୁ ଧରିବା ଉଦ୍ୟମ କରିନଥିଲେ। ବାସ୍ତବରେ ଚୋର ଅପରିଚିତ ନ ଥିଲା ବରଂ ଚିହ୍ନା ଓ ପ୍ରଭାବଶାଳୀ ଥିବାରୁ ଥାନାକୁ ଯିବାକୁ ଅଧିକାରୀ ଭୟ କରିଥିଲେ। ଏହି ମାଛ ଚୋରି ବିବାଦ ଥମିନଥିବା ବେଳେ ଟେଣ୍ଡର ବିବାଦ ପୁଣି ଥରେ ପୌରସଂସ୍ଥାକୁ ଚର୍ଚାକୁ ଆଣିଛି। ତେବେ ସବୁ ଆଇନକାନୁନ୍‌ ମୁତାବକ ଚାଲିଥିବା ପୌରାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର