ଇଞ୍ଜେକ୍ସନ ପରେ ମରିଗଲେ ମହିଳା:ରଫାଦଫା ପାଇଁ ଉଦ୍ୟମ!

8କ୍ଲିନିକ୍ ରାତିଅଧିଆ ଗାଏବ 8ଥାନାରେ ଅପମୃତ୍ୟୁ ମାମଲା ରୁଜୁ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ରନ୍ତଲେଇ ଗାଁରେ ଫାର୍ମାସିଷ୍ଟଙ୍କଠାରୁ ଇଞ୍ଜେକ୍ସନ ନେଇ ଗୁରୁତର ଅସୁସ୍ଥ ଥିବା ମହିଳା ଶେଷରେ ଆଖି ବୁଜିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ପରିବାର ଲୋକେ ଇଞ୍ଜେକ୍ସନ ଦେଇଥିବା ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲିଥିବା ଗାଁରେ ଚର୍ଚ୍ଚା ଚାଲିଛି।
ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା। ରନ୍ତଲେଇ ଗାଁର ୩୫ବର୍ଷ ବୟସ୍କ ଏହି ମହିଳାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ଗାଁରେ କ୍ଲିନିକ କରିଥିବା ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ପାଖକୁ ଯାଇଥିଲେ। ମହିଳାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ। ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର। ସେଦିନ ଫାର୍ମାସିଷ୍ଟଜଣକ ମହିଳାଙ୍କୁ ଗୋଟିଏ ଇଞ୍ଜେକ୍ସନ ସହିତ କିଛି ବଟିକା ଖାଇବାକୁ ଦେଇଥିଲେ। ଘଣ୍ଟାଏ ପରେ ଇଞ୍ଜେକ୍ସନ ତା’ର ପ୍ରତିକ୍ରିୟା ଦେଖାଇଥିଲା। ଦେହ ସାରା ଫଳି ଯାଇଥିଲା। ରାତି ସାରା ମହିଳାଜଣକ ଛଟପଟ ହୋଇଥିଲେ। ତେଣୁ ମହିଳାଙ୍କ ସ୍ବାମୀ ଫାର୍ମାସିଷ୍ଟଙ୍କ ପାଖକୁ ପୁଣି ଯାଇଥିଲେ। ଘଟଣାକୁ ନେଇ ଗାଁରେ ବୈଠକ ବସିଥିଲା। ସର୍ବସମ୍ମତି କ୍ରମେ ଇଞ୍ଜେକ୍ସନ ଦେଇଥିବା ଫାର୍ମାସିଷ୍ଟ ଗୁରୁତର ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ରାଜି ହୋଇଥିଲେ। ତେଣୁ ମହିଳାଙ୍କୁ ତୁରନ୍ତ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲ୍ କଲେଜକୁ ନିଆଯାଇଥିଲା। ଗତକାଲି ଚିକିତ୍ସିତ ହୋଇ ମହିଳା ଜଣକ ଘରକୁ ଫେରିଥିଲେ। କିନ୍ତୁ ପୁଣି ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ଶେଷରେ ପରିବାର ଲୋକେ ଅନୁଗୁଳ ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଦୁର୍ଭାଗ୍ୟକୁ ବିଳମ୍ବିତ ରାତିରେ ମେଡିକାଲରେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇ ମାମଲାକୁ ରଫଦଫା କରିବାକୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ଏଣେ ଘଟଣା ପରଠାରୁ ସମ୍ପୃକ୍ତ କ୍ଲିନିକର ସାଇନ୍ ବୋର୍ଡ଼ ଗତକାଲି ରାତିରୁ ଗାଏବ ହୋଇଯାଇଛି। ଘରେ ତାଲା ପଡ଼ିଛି।

ଏଥିରୁ କ୍ଲିନିକର ବୈଧତାକୁ ନେଇ ସନ୍ଦେହ ସୃୃଷ୍ଟି ହୋଇଛି। ବାସ୍ତବରେ କ୍ଲିନିକ ସରକାରୀ ନିୟମରେ ଚାଲୁଥିଲା ନା ବେଆଇନ ପ୍ରଶ୍ରୟ ଦିଆଯାଉଥିଲା ତାହା ତଦନ୍ତର ଅପେକ୍ଷା ରଖୁଛି। ସେହିପରି ଇଞ୍ଜେକ୍ସନ ଦେଇଥିବା ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ବାସ୍ତବରେ ସମ୍ପୃକ୍ତ ଯୁବକ ଫାର୍ମାସୀ ପାଠ ପଢିିଛନ୍ତି ନା, ଏମିତି ଚିକିତ୍ସା କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ତାହା ମଧ୍ୟ ତଦନ୍ତସାପେକ୍ଷ। ଏ ସମ୍ପର୍କରେ ରନ୍ତଲେଇ ସରପଞ୍ଚ ପ୍ରମୋଦ ବେହେରାଙ୍କୁ ପଚାରିବାରୁ ସେ ଗାଁରେ ବସିଥିବା ବୈଠକ କଥାକୁ ସ୍ବୀକାର କରିଛନ୍ତି। କହିଛନ୍ତି, ଘଟଣା ଦିନ ରାତିରେ ମହିଳାଙ୍କ ସ୍ବାମୀ ଆମ ଘରକୁ ଆସିଥିଲେ। ଘଟଣା ସମ୍ପର୍କରେ ମୋତେ କହିଥିଲେ। ତେଣୁ ସମସ୍ୟାର ସମାଧାନ ପାଇଁ ଗାଁର ଭଦ୍ରଲୋକଙ୍କୁ ନେଇ ବୈଠକ ବସିଥିଲା। ସେଦିନ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ସମ୍ପୃକ୍ତ ଫାର୍ମାସିଷ୍ଟ ରାଜି ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ମହିଳାଙ୍କର ଆଜି ମୃତ୍ୟୁ ହୋଇଛି ବୋଲି ଶ୍ରୀ ବେହେରା କହିଛନ୍ତି। ଅନ୍ୟ ପକ୍ଷରେ ଅନୁଗୁଳ ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର