ଚା’ ଦୋକାନରୁ ଉଠାଇନେଇ ଯୁବକଙ୍କୁ ହତ୍ୟା

ତାଳଚେର: ତାଳଚେର ଥାନା ଦେଉଳବେଡ଼ା ଅଂଚଳର ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଦେଉଳବେଡ଼ାର ରାଜେଶ ଚୌହାନ୍‌(୩୯)। ହତ୍ୟାକାରୀମାନେ ରାଜେଶଙ୍କୁ ହତ୍ୟା କରିବା ପରେ ତାଙ୍କ ଶବକୁ କନ୍ଧବେରେଣୀ ଜଙ୍ଗଲରେ ଫିଙ୍ଗି ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ଶବ ଜବତ କରିଛି। ରାଜେଶଙ୍କ ପତ୍ନୀ ଏ ନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ଗତ ୨୮ ତାରିଖ ସକାଳ ପ୍ରାୟ ୯ଟା ବେଳେ ରାଜେଶ ଘର ଠାରୁ କିଛି ଦୂରରେ ଥିବା ଏକ ଦୋକାନରେ ଚା’ ପିଉଥିଲେ। ଏହି ସମୟରେ କେତେକ ଯୁବକ ଏକ ଧଳା ରଂଗର ବଲେରୋରେ ଆସି ତାଙ୍କ ସହ ହାତ ମିଳାଇବା ପରେ ସମସ୍ତେ ଏକାଠି ବସି ଚା’ ପିଇଥିଲେ। କିଛି ସମୟ ପରେ ଯୁବକମାନେ ହଠାତ୍‌ ଜୋର ଜବରଦସ୍ତ ରାଜେଶଙ୍କୁ ବଲେରୋ ଭିତରକୁ ଭିଡ଼ି ନେଇ ଫେରାର ହୋଇ ଯାଇଥିଲେ। ଏ ଖବର ପାଇବା ପରେ ପତ୍ନୀ ଭାରତୀ ତାଙ୍କ ସ୍ୱାମୀଙ୍କୁ ଦେଉଳବେଡ଼ାର ରାଜା ଶର୍ମା ଓ କଣିଁହା ଥାନା ଡେରେଙ୍ଗ ଅଂଚଳର ରାଜୁ ନାଏକ ଓ ଅନ୍ୟ ଦୁଇଜଣ କେଉଁ ଆଡେ ଅପହରଣ କରି ନେଇଛନ୍ତି ବୋଲି ତାଳଚେର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ଆଜି ସକାଳେ କନ୍ଧବେରେଣୀ ଜଙ୍ଗଲ ଦେଇ ଯାଇଥିବା ଏକ ନାଳ କଡ଼ରେ ଜଣେ ବ୍ୟକ୍ତିର ଶବ ପଡ଼ିଥିବା ନେଇ ପୁଲିସ ଖବର ପାଇଥିଲା। ପୁଲିସ ଶବ ଜବତ କରିବା ପରେ ପରିବାର ଲୋକେ ଏହା ରାଜେଶଙ୍କ ଶବ ବୋଲି ଚିହ୍ନଟ କରିଥିଲେ। ଠେଙ୍ଗା ଓ ଲୁହା ଛଡ଼ରେ ମାଡ଼ ମାରି ରାଜେଶଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର