କୋରାପୁଟରେ ସେଓ ଚାଷ: ବର୍ଷକୁ ୨ ଥର ଅମଳ, ଭଲ ରୋଜଗାର କରୁଛନ୍ତି ୨ ଭାଇ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁରରେ ସଫଳତାର ସହିତ ସେଓ ଚାଷ ହେଉଛି। ଏଥିରୁ ଭଲ ରୋଜଗାର କରୁଛନ୍ତି ୨ ଭାଇ ଶରତ ସାହୁ ଓ ଗୋବିନ୍ଦ ସାହୁ। ୪୦ ଡିଗ୍ରି ତାପମାତ୍ରାରେ ଯେଉଁଠି ପାରମ୍ପରିକ ଚାଷ ପ୍ରଭାବିତ ହେଉଛି, ସେଇଠି ଏକ ବଡ ଉଦ୍ଦେଶ୍ୟ ନେଇ ଶରତ ଓ ଗୋବିନ୍ଦ ନିଷ୍ଠାପର ଭାବେ କାମ କରିଚାଳିଛନ୍ତି। ବର୍ଷ ୨୦୦୨ରେ ନିଜସ୍ୱ ଖର୍ଚ୍ଚରେ ଦୁଇ ଭାଇ ନିଜ ବଗିଚାରେ ୨ଟି ସେଓ ଗଛ ଲଗାଇଥିଲେ। ଏବେ ତାଙ୍କର ବଗିଚାରେ ୧୦ଟି ସେଓ ଗଛ ରହିଛି। ପ୍ରାୟ ୬୦ କିଲୋ ସେଓ ଉତ୍ପାଦନ କରି ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

କଥାରେ ଅଛି, ‘ଚାଷ କାମ ଯାହାର ବଡ଼ ସୁଖ ତାହାର’, ଏହି ବାକ୍ୟର ଯଥାର୍ଥତାକୁ ବାସ୍ତବରେ ପରିଣତ କରି ପାରିଛନ୍ତି ଶରତ ଓ ଗୋବିନ୍ଦ। ବର୍ଷକୁ ୨ ଥର (ଜୁନ ଓ ଡିସେମ୍ବର) ସେଓ ଅମଳ କରି ପାରୁଛନ୍ତିି। ସେମାନେ ଖରାଦିନେ ସେଓ ଚାଷ କରି ବେଶ ଲାଭବାନ ହେବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି। ବଜାରରେ ମିଳୁଥିବା ସେଓ ଠାରୁ ଏହି ସେଓ ସୁଆଦିଆ ଓ ଗୁଣାତ୍ମକ।

Kanak News

ଦୁଇ ଭାଇ ଶରତ ଓ ଗୋବିନ୍ଦ ସେଓ ବ୍ୟତୀତ ବିଭିନ୍ନ ପ୍ରକାରର ଫଳ ଓ ଫୁଲ ଚାଷ କରୁଛନ୍ତି। ଦୀର୍ଘ ୨୦ ବର୍ଷ ହେବ ସେମାନେ ଶରୀରରୁ ଝାଳ ବୁହାଇ ନିଜ ବଗିଚାକୁ ସବୁଜିମାରେ ପରିଣତ କରିପାରିଛନ୍ତି। ସଫଳ ଚାଷୀଙ୍କ ଫସଲ କ୍ଷେତକୁ ଦେଖି ଜିଲ୍ଲା ତଥା ରାଜ୍ୟର ଚାଷୀକୁଳ ବେଶ ଆନନ୍ଦିତ ହୋଇଥାନ୍ତି। ଏବେ ସେମାନଙ୍କର ଏଭଳି ଉଦ୍ୟମ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଦୁଇ ଭାଇଙ୍କ ବଗିଚାରେ ସେଓ ବ୍ୟତୀତ ଅଙ୍ଗୁର, ଆମ୍ବ, ପଣସ, ଡ଼ାଳିମ୍ବ, କଦଳୀ, ବିଭିନ୍ନ ପ୍ରକାର ଫୁଲ, ଧାନ, ଓ ପନିପରିବା ଚାଷ ହେଉଛି। ଦୁଇ ଭାଇ ସ୍ଥାନୀୟ ଅଂଚଳର କିଛି ଶ୍ରମିକଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି।

ସମ୍ବନ୍ଧିତ ଖବର