କଳିଙ୍ଗନଗରରେ ନିଯୁକ୍ତି ଆଶା ଧୂଳିସାତ୍‌:ଗାଁ ମୁଣ୍ଡରେ ଶିଳ୍ପ, ନିଯୁକ୍ତି ବେଳକୁ ପଛଘୁଞ୍ଚା

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟ ୧୨ରୁ ଉର୍ଦ୍ଧ୍ଵ କାରଖାନା ଗଢ଼ି ଉଠିଥିଲେ ହେଁ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଆଶା ଧୂଳିସାତ୍‌ ହୋଇଯାଇଛି।
ନବେ ଦଶକରେ ରାଜ୍ୟରେ ୨ୟ ଇସ୍ପାତ୍‌ କାରଖାନା ପ୍ରତିଷ୍ଠା ଲକ୍ଷ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ ନିଗମ ଓ ମେସ୍କୋ ଷ୍ଟିଲ୍‌ ପ୍ରତିଷ୍ଠା ହୋଇଥିଲା। ନୀଳାଚଳ ଇସ୍ପାତ୍‌ ନିଗମରୁ ବହୁ ବର୍ଷ ପର୍ଯ୍ୟନ୍ତ ଇସ୍ପାତ୍‌ ଉତ୍ପାଦନ ହୋଇ ପାରିନଥିବା ବେଳେ ମେସ୍କୋ ଷ୍ଟିଲ୍‌ ଖଣି ଖୋଳି କୋଟିକୋଟି ଟଙ୍କା ହାତେଇ ନେଇଥିବା ବେଳେ ଶିଳ୍ପ ଉତ୍ପାଦନକୁ ଗୁରୁତ୍ଵ ଦେଲାନାହିଁ। କଳିଙ୍ଗନଗରରେ ଶିଳ୍ପ ପ୍ରତିଷ୍ଠା ହେଲେ ସୁଦ୍ଧା ଭୂମିପୁତ୍ରଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ମିଳିଲା ନାହିଁ। ନବେ ଦଶକରେ କଳିଙ୍ଗନଗର ଶିଳ୍ପାୟନ ବେଶୀବାଟ ଆଗେଇ ପାରିଲା ନାହିଁ।

ନବୀନ ସରକାରଙ୍କ ଅମଳରେ ଭିସାଷ୍ଟିଲ୍‌, ଜିନ୍ଦଲ୍‌, ରୋହିତ୍‌ ଫେରୋଟେକ୍‌, ମୈଥାନ ଇସ୍ପାତ୍‌, କେଜେ ଇସ୍ପାତ୍‌, ୟାଜଦାନୀ, ବିଆର୍‌ପିଏଲ୍‌, ଟାଟା ଷ୍ଟିଲ୍‌ ପ୍ରଭୃତି କମ୍ପାନି ଶିଳ୍ପାଞ୍ଚଳରେ ପାଦ ଥାପିଲେ।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେଲା ମାତ୍ର ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ମିଳିଲା ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ମଧ୍ୟ ରାଜ୍ୟ ବାହାରକୁ ନିଯୁକ୍ତି ପାଇଁ ଯାଉଛନ୍ତି। ଗତ କିଛି ଦିନ ତଳେ ମାନତୀରା, ଚକୁଆ, କିମ୍ଭୀରିଗଡ଼ିଆ ଆଦି ଗାଁର ୨୦/୨୨ ଜଣ ଯୁବକ ଦାଦନ ଖଟିବାକୁ ଗୋଆ ଯାଇଥିଲେ। ଏହି ଗ୍ରାମଗୁଡ଼ିକ ପାଖରେ ବହୁ ଶିଳ୍ପ ସମୂହ ଥିବା ବେଳେ ନିଯୁକ୍ତି ଆଶା ଧୂଳିସାତ୍‌ ହେବାରୁ ବାହାରକୁ ଚାଲିଯାଇଥିଲେ। ଟାଟା ଷ୍ଟିଲ୍‌ ପାଇଁ ମାନତୀରା ଗାଁର ଶହଶହ ଏକର ଜମି ମଧ୍ୟ ବ୍ୟବହୃତ ହୋଇଛି।

ଶିଳ୍ପାୟନ ପାଇଁ ଜୀବନ ଜୀବିକା, ଜଳ, ଜମି, ଜଙ୍ଗଲ ସବୁ କିଛି ଚାଲିଯାଇଥିବା ବେଳେ ଏବେ ମାନତୀରା ଗାଁରେ ଇମାମି ସିମେଣ୍ଟ୍‌ ପାଦ ଥାପିଛି। ନିଯୁକ୍ତି ଆଶା ସହିତ କାରଖାନାରେ ଠିକାଦାରି ନେଇ ମଧ୍ୟ ସ୍ଥାନୀୟ ଯୁବକ ଆଶା ବାନ୍ଧିଛନ୍ତି। ମାତ୍ର ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଇସ୍ପାତ୍‌ ରାଜଧାନୀ କଳିଙ୍ଗନଗରରେ ମୋଟ୍‌ ୧୧ଟି କାରଖାନାରେ ୩୪ ହଜାର ୫୨୧ କୋଟି ପୁଞ୍ଜି ନିବେଶ କରି ଶିଳ୍ପ ପ୍ରତିଷ୍ଠା ହୋଇଥିଲେ ହେଁ ନିଯୁକ୍ତି ଆଶା ଏକ ପ୍ରକାର ଧୂଳିସାତ୍‌ ହୋଇଯାଇଛି। କେଜେ ଇସ୍ପାତ୍‌ ମେସ୍କୋ ଷ୍ଟିଲ୍‌ ବନ୍ଦ ରଖିଥିବା ବେଳେ ମେସ୍କୋ ଏବେ ଚଳାଇବାକୁ ପ୍ରୟାସ କରୁଛି। ମାତ୍ର ଭିସା, ରୋହିତ, ନୀଳାଚଳ, ବିଆର୍‌ପିଏଲ୍‌ ଆଦି କାରଖାନାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଥିବା ବେଳେ ଶିଳ୍ପାଞ୍ଚଳବାସୀଙ୍କ ନିଯୁକ୍ତି ଆଶା ଏକ ପ୍ରକାର ସ୍ୱପ୍ନରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର