ଯନ୍ତ୍ରୀଙ୍କୁ ଉଠବସ୍‌ ଘଟଣା, ଜୋର ଧରିଲା ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବି

ଭୁବନେଶ୍ୱର: ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍‌ କରିବା ଘଟଣାରେ ଜୋର ଧରିଲା ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ବିଧାୟକଙ୍କ ଗିରଫ ଦାବି କରାଯାଇଛି । ଅନ୍ୟପଟେ ସମ୍ବାଦିକ ସମ୍ମିଳନୀ କରି ପାଟଣାଗଡ଼ ବିଧାୟକ ସରୋଜ ମେହେର ପୁଣି ଥରେ ଦୁଃଖ ପ୍ରକାଶ କରିଛନ୍ତି।

ରାଜରାସ୍ତାରେ ସହକାରୀ ଯନ୍ତ୍ରୀଙ୍କୁ ଅପଦସ୍ତ କରିବା ବିରୋଧରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପ୍ରତିବାଦ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପୁଲିସ୍‌ ଏବଂ ଆନ୍ଦୋଳନକାରୀ ମୁହାଁ-ମୁହିଁ ହୋଇଛନ୍ତି। ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ଲାଗୁ କରି, ତୁରନ୍ତ ଗିରଫ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦାବି କରିଛି।

ବିଧାୟକ ସରୋଜ ମେହେରଙ୍କ ବିରୋଧରେ ମାମଲା ହେବାର ୮ ଦିନ ପରେ ବି କାହିଁକି ପୁଲିସ୍‌ ହାତବାନ୍ଧି ବସି ରହିଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଜଣେ ଆଦିବାସୀ ସରକାରୀ କର୍ମଚାରୀଙ୍କୁ ରାସ୍ତା ମଝିରେ ଅମାନବୀୟ ଆଚରଣ କରିଥିବା ବିଧାୟକଙ୍କୁ କିଏ ଏବଂ କାହିଁକି ସୁରକ୍ଷା ଦିଆଯାଉଛି ବୋଲି ପ୍ରଶ୍ନ କରିଛି ଆଦିବାସୀ ସଂଘ । ଅନ୍ୟପଟେ ଏହି ଘଟଣାରେ ସାମ୍ମାଦିକ ସମ୍ମିଳନୀ କରି ପାଟଣାଗଡ଼ ବିଧାୟକ ପୁଣି ଥରେ ଦୁଃଖ ପ୍ରକାଶ କରିଛନ୍ତି । ଏସସି ଏସଟିଙ୍କୁ ସେ ଯଥେଷ୍ଟ ସମ୍ମାନ ଦିଅନ୍ତି ବୋଲି ସରୋଜ ମେହେର ସଫେଇ ଦେଇଛନ୍ତି ।

ରାସ୍ତାକାମରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ମଝିରେ ଉଠବସ୍‌ କରିଥିଲେ ପାଟଣାଗଡ଼ ବିଧାୟକ । ଏମିତି କି ୫ ମିନିଟ୍‌ ଭିତରେ ଶହେ ଥର ଉଠବସ୍‌ ହେବାକୁ ଦାଗିଦ୍‌ କରିଥିଲେ । ଆଉ ଏହି ଘଟଣାର ପୂରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦୀୟ ହୋଇପଡିଥିଲେ ସରୋଜ।

ସମ୍ବନ୍ଧିତ ଖବର