ଅଜାର ନିର୍ଯାତନା ସହି ନ ପାରି ଘରକୁ ଫେରି ଆସିଥିବା ଝିଆରୀକୁ ଦୁଷ୍କର୍ମ ଉଦ୍ୟମ କଲା ମଉସା

ରାଉରକେଲା : ବାହାରର କେହି ନୁହେଁ, ନିଜ ମଉସା ଦ୍ବାରା ତିନି ମାସଧରି ବାପା ମା’ ଛେଉଣ୍ଡ ୧୬ ବର୍ଷର ନାବାଳିକା ଝିଆରୀ ହେଉଥିଲା ଯୌନ ନିର୍ଯାତନାର ଶିକାର। ଗତକାଲି ଝିଅଟି ଶୋଇଥିଲାବେଳେ ନିଶାସକ୍ତ ମଉସା ଦୁଷ୍କର୍ମ ଉଦ୍ୟମ କରିଥିଲା। ପ୍ରତିବାଦ କରିବାରୁ ଛୁରିରେ ହତ୍ୟା କରିବାକୁ ମଧ୍ୟ ଗୋଡ଼ାଇଥିଲା। ଏପରି ଏକ ସମ୍ବେଦନଶୀଳ ଓ ଲଜ୍ଜାଜନକ ଘଟଣା ଘଟିଛି ରାଉରକେଲା ଟିମ୍ବର କଲୋନିରେ। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ମାମଲା ରୁଜୁ କରି ଉଭୟ ମାଉସା କ୍ରିଷ୍ଣା ସିଂହ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ରାଉରକେଲା ଜେନେରାଲ୍ ହସ୍‌ପିଟାଲ୍‌ (ଆର୍‌ଜିଏଚ୍‌)ରେ ଡାକ୍ତରୀ ମାଇନା କରିବା ପରେ ପୀଡ଼ିତାଙ୍କୁ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛି।

ଟିମ୍ବର କଲୋନିରେ ପୀଡ଼ିତା ତାଙ୍କ ବାପା, ମା ଓ ଦୁଇ ଭାଇଙ୍କ ସହିତ ରହୁଥିଲେ। ଗତ ୨୦୧୫ରେ ବାପା ଆଖି ବୁଜିଲେ ଓ ୨୦୧୭ରେ ମା’ ମଧ୍ୟ ଆତ୍ମହତ୍ୟା କରିଥିଲେ। ବାପା ଓ ମାଙ୍କ ମୃତ୍ୟୁ ପରେ ପୀଡ଼ିତା ଓ ତାଙ୍କ ଦୁଇ ସାନଭାଇଙ୍କୁ ସେମାନଙ୍କର ଅଜା ବିହାରସ୍ଥିତ ଘରକୁ ନେଇଯାଇଥିଲା। ପୀଡ଼ିତାଙ୍କ ବୟାନ ଅନୁସାରେ, ସେଠାରେ ଅଜା ତାଙ୍କୁ ଓ ତାଙ୍କ ଦୁଇ ଭାଇଙ୍କୁ ନିର୍ଯାତନା ଦେଉଥିଲା। ଏପରିକି ପୀଡ଼ିତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଉଥିଲା। ଅଜାର ନିର୍ଯାତନା ସହ୍ୟ କରି ନପାରି ୪ ମାସ ତଳେ ପୀଡ଼ିତା ଦୁଇ ସାନଭାଇଙ୍କୁ ଧରି ରାଉରକେଲାରେ ଥିବା ନିଜ ଘରକୁ ଚାଲି ଆସିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଘରକୁ ମଉସା କ୍ରିଷ୍ଣା (ପ୍ରାୟ ୩୦ ବର୍ଷ) ନିଜର ଅକ୍ତିଆରରେ ରଖିଥିଲା। ଏ ସମ୍ପର୍କରେ ପୀଡ଼ିତା ପଡ଼ୋ‌ଶୀ ଓ ସ୍ଥାନୀୟ ଅଞ୍ଚଳର ନାରୀନେତ୍ରୀ ପ୍ରମିଳା ଦାସଙ୍କୁ ଜଣାଇଥିଲେ। ସେମାନେ ବୁଝାଇବାପରେ ମଉସା ମାଉସୀ ପୀଡ଼ିତା ଓ ତାଙ୍କ ଦୁଇ ଭାଇଙ୍କୁ ଘରେ ରହିବା ଲାଗି ଅନୁମତି ଦେଇଥିଲେ।

ତେବେ ପୀଡ଼ିତା ତାଙ୍କ ଏତଲାରେ ଦର୍ଶାଇଛନ୍ତି, ରହିବାର ପ୍ରାୟ ମାସକ ପରେ ମଉସା କ୍ରିଷ୍ଣା ତାଙ୍କୁ ଯୌନ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲା। ଗତକାଲି ପୂର୍ବାହ୍‌ଣ ପ୍ରାୟ ୧୧ଟାରେ ପୀଡ଼ିତା ଘରେ ଏକାକୀ ଥିଲେ। ମଉସା କ୍ରିଷ୍ଣା ସେହି ସମୟରେ ନିଶାସକ୍ତ ଅବସ୍ଥାରେ ଘର ଭିତରକୁ ପଶି ଆସି ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିବା ସହ ପୋଷାକ ଚିରି ଦେଇଥିଲା। ତେବେ ନାବାଳିକା ଜଣକ କୌଣସି ମତେ ସେଠାରୁ ଖସି ଘର ବାହାକୁ ଆସି ଚିତ୍କାର କରିଥିଲେ। ତେଣୁ ରାଗରେ ମଉସା ପରିବାକଟା ଛୁରି ଆଣି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କର ଡାହାଣ ଆଖି ପାଖରେ କ୍ଷତ ହୋଇଥିଲା। ପଡ଼ୋଶୀମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ପୀଡ଼ିତା ଗୋପବନ୍ଧୁପାଲି ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିଥିଲେ। ଆଜି ପୀଡ଼ିତା ସ୍ଥାନୀୟ ଅଞ୍ଚଳର ପ୍ରମିଳା ଦାସଙ୍କ ନେତୃତ୍ବରେ ପ୍ଲାଣ୍ଟସାଇଟ୍‌ ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର