ଆମେ ନେଇଁ ଶିଖ୍‌ଲେ ଶିଖାବା କିଏ…:ଲଗାବାର୍‌ ଦୁଇ ଦିନ ଉତାରୁ ହଜି ଯାଉଛେ ଡଷ୍ଟବିନ୍‌

ବଲାଙ୍ଗୀର: ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ବଲାଙ୍ଗୀର ପୌରପାଳିକା ପକ୍ଷରୁ ଲଗାଯାଇଛି ଦୁଇ ଦୁଇଟି ଡଷ୍ଟବିନ। ରାସ୍ତା କଡ଼ରୁ ଆରମ୍ଭ କରି ସବୁଠି ଡଷ୍ଟବିନ ଲାଗିଥିବା ଲୋକେ ଦେଖିବାକୁ ପାଉଛନ୍ତି। କିନ୍ତୁ ଡଷ୍ଟବିନ ଲାଗିବାର ଦୁଇ ତିନି ଦିନ ପରେ ତାହା ଗାୟବ ହୋଇଯାଉଛି। କୁଆଡେ ଯାଉଛି ଡଷ୍ଟବିନ? ଏ ପ୍ରଶ୍ନ କେବଳ ଆମର ନୁହେଁ, ଅନେକ ସାଧାରଣ ଲୋକଙ୍କର। ଏପ୍ରସଙ୍ଗରେ ଫିରୋଜ ସାହୁ ନାମକ ଜଣେ ସ୍ୱେଚ୍ଛାସେବୀ ସାମାଜିକ ଗଣମାଧ୍ୟମରେ ଫଟୋ ଦେଇ ମତ ରଖିଛନ୍ତି। ପ୍ରକୃତରେ ଏ ଡଷ୍ଟବିନଗୁଡ଼ିକୁ ସୁରକ୍ଷା ଦେବା ଦାୟିତ୍ୱ କାହାର? ସହର ଅଳିଆ ଆବର୍ଜନା ହେବ ନାହିଁ, ଲୋକେ ଅଳିଆ ଆବର୍ଜନା ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇବେ ବୋଲି ଡଷ୍ଟବିନ ଯୋଜନାକୁ ଲାଗୁ କରାଯାଇଥିଲା। କିନ୍ତୁ ଡଷ୍ଟବିନ ଚୋରି ହୋଇଯିବା, ଭାଙ୍ଗି ଦେବା ଦ୍ୱାରା କି ସ୍ୱାର୍ଥ ସାଧନ ହେଉଛି ବୁଝାପଡ଼ୁ ନାହିଁ। ଡଷ୍ଟବିନ ଚୋରିକୁ ଅଟକାଇବ କିଏ? ଆମେ ନେଇଁ ଶିଖଲେ ଶିଖାବା କିଏ?
ବର୍ଷେ ନେଇଁ ହେଇ ମଏଲା କରିଦେଲେନ ଏମ୍‌ସିଏଚ୍‌
ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ ପରିସରରେ ମା’ ଓ ଶିଶୁମାନଙ୍କ ପାଇଁ ୧୨୫ ଶଯ୍ୟା ବିଶିଷ୍ଟ ଏମ୍‌ସିଏଚ୍‌। ସୁନ୍ଦର କୋଠା। ଅତ୍ୟାଧୁନିକ ଢଙ୍ଗରେ ତିଆରି ହୋଇଛି କୋଠାଟି। ଆଉ ଏମ୍‌ସିଏଚ୍‌ ପରିସରରେ ଯେଉଁ ସୁବିଧା ଉପଲବ୍ଧ ରହିଛି ତାହା କିଛି କମ୍‌ ନୁହେଁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବଲାଙ୍ଗୀର ପାଇଁ ଏଭଳି ସୁବିଧା ନୂଆ। ପ୍ରଥମେ ପ୍ରଥମେ ଏମ୍‌ସିଏଚ୍‌କୁ ଆସୁଥିବା ଲୋକେ ହଇରାଣ ହେଉଥିଲେ। ତେବେ ସବୁ ବ୍ୟବସ୍ଥିତ ହେବା ପରେ ଲୋକେ ହିଁ ଏହାକୁ ଅବ୍ୟବସ୍ଥିତ କରିବାରେ ଲାଗିଛନ୍ତି। ସାମାଜିକ ଗଣମାଧ୍ୟମରେ ବଲାଙ୍ଗୀର ଯୁବ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ ଏମ୍‌ସିଏଚ୍‌ର ସ୍ଥିତି ନେଇ ଫଟୋ ଉପସ୍ଥାପନ କରିଛନ୍ତି। ଏମ୍‌ସିଏଚ୍‌ ପାଇଁ କାହାକୁ ଦାୟୀ କରିବା ବୋଲି ସେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ଯେଉଁଠି ମା’ ଓ ଶିଶୁଙ୍କ ପାଇଁ ସବୁ ସେବା ଉପଲବ୍ଧ ହୋଇଛି ସେଠି ହିଁ ଲୋକେ ତାକୁ ନଷ୍ଟ କରିବାରେ ଲାଗିଛନ୍ତି। ଏମ୍‌ସିଏଚ୍‌ ପରିସରରେ ଅଳିଆ ଆବର୍ଜନା ନକରିବାକୁ, ପାନ ଛେପ କାନ୍ଥରେ ନପକାଇବାକୁ ବାରଣ କରାଯାଇଛି। ବିଭିନ୍ନ ସ୍ଥାନରେ ସଚେତନ କରିବାକୁ ବୋର୍ଡ ବି ଲାଗିଛି। ଏପରିକି ଯିଏ ପାନଛେପ ପକାଇବ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ବି ଉଲ୍ଲେଖ ରହିଛି ବୋର୍ଡରେ। ତା’ପରେ ବି ଲୋକେ ସଚେତନ ହେଉ ନାହାନ୍ତି। କେଉଁ ବାହାର ଲୋକ ଆସି ଏମ୍‌ସିଏଚ୍‌କୁ ଖରାପ କରୁଛି? ଆମେ ନିଜେ ଏମ୍‌ସିଏଚ୍‌ ଉପରେ ନିର୍ଭର କରୁଛୁ ଓ ନିଜେ ତାକୁ ନଷ୍ଟ କରୁଛୁ। ଆମେ ନେଇଁ ଶିଖ୍‌ଲେ ଶିଖାବା କିଏ?

ସମ୍ବନ୍ଧିତ ଖବର