ନବଗଠିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧିନରେ ୬୫ଟି ଓ ଭବାନୀପାଟଣା ବିଶ୍ୱବିଦ୍ୟାଳୟ ଅଧିନରେ ୫୦ଟି କଲେଜ ରହିବ

ଭୁବନେଶ୍ୱର : ନୂତନଭାବେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିବା ବଲାଙ୍ଗୀରର ରାଜେନ୍ଦ୍ର କଲେଜ ଓ କଳାହାଣ୍ଡିର ଭବାନୀପାଟଣା କଲେଜ ଅଧିନରେ ମୋଟ ୧୧୫ଟି କଲେଜ ରହିବ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧିନରେ ୬୫ଟି କଲେଜ ଓ ଭବାନୀପାଟଣା ବିଶ୍ୱବିଦ୍ୟାଳୟ ଅଧିନରେ ୫୦ଟି କଲେଜ ରହିବ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧିନରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଥିବା ଏହି ୬୫ଟି କଲେଜ ରହିବାକୁ ଥିବାବେଳେ ଭବାନୀପାଟଣା ବିଶ୍ୱବିଦ୍ୟାଳୟ ଅଧିନରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଥିବା ୫୦ଟି କଲେଜ ରହିବ ।

ଏହି ୧୧୫ଟି କଲେଜ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଆସୁଛି । ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ୧୦ଟି ଜିଲ୍ଲା ରହୁଥିବାବେଳେ ଦୁଇଟି ନୂଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜିଲ୍ଲା ସଂଖ୍ୟା ୬କୁ ହ୍ରାସ ପାଇବ । ଓଡ଼ିଶା ସରକାର ଗତ ମାର୍ଚ୍ଚ ମାସରେ ବଲାଙ୍ଗୀରର ରାଜେନ୍ଦ୍ର କଲେଜ ଓ କଳାହାଣ୍ଡିର ଭବାନୀପାଟଣା କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ଅନୁସାରେ ଏହି ମାନ୍ୟତା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର