ବିବାହିତା ମହିଳାଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଯୁବକ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ସହର ଇନ୍ଦିରାନଗର ପଡାରେ ଭଡା ଘରେ ରହୁଥିବା ଜନୈକ ମହିଳାଙ୍କ ଘରକୁ ଆସି ତାଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଟାଉନ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ବଲାଙ୍ଗୀର ସହର ଶାନ୍ତିପଡାର ଶ୍ରୀକାନ୍ତ ସାହୁ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଦରଥାନା ବୁଡ଼ାବାହାଲ ଗାଁର ବୀରକିଶୋର ସିଂ ଠାକୁର ନାମକ ବ୍ୟକ୍ତି ସହରର ଲାଲଟିକ୍ରା ଅଂଚଳରେ ଏକ ଭଡା ଘର ନେଇ ନିଜ ସ୍ତ୍ରୀ ଓ ଶିଶୁ ପୁତ୍ର ସହ ରହୁଥିଲେ। ଶାନ୍ତିପଡାର ଶ୍ରୀକାନ୍ତ ସାହୁ ବୀରକିଶୋରଙ୍କ ସ୍ତ୍ରୀଙ୍କୁ ବାରମ୍ବାର ହଇରାଣ ହରକତ କରୁଥିବା ଜାଣି ସେମାନେ ଲାଲଟିକ୍ରା ଭଡାଘର ଛାଡି ଇନ୍ଦିରାନଗର ପଡାକୁ ଚାଲି ଆସିଥିଲେ।

ଶୁକ୍ରବାର ଭୋର ସାଢେ ତିନିଘଂଟା ସମୟରେ ବୀରକିଶୋର ଘରୁ କାମ କରିବାକୁ ବାହାରକୁ ଚାଲି ଆସିଥିଲେ। ଠିକ ସେହି ସମୟରେ ଶ୍ରୀକାନ୍ତ ସାହୁ ବୀରକିଶୋରଙ୍କ ଘରକୁ ପଶିବା ସହ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ତେବେ କୌଣସି କାରଣବଶତଃ ବୀରକିଶୋର କାମକୁ ନଯାଇ ଅଧାବାଟରୁ ଘରକୁ ଫେରି ଆସିଥିବା ବେଳେ ଘରେ ନିଜ ସ୍ତ୍ରୀଙ୍କୁ ଯୁବକ ଜଣକ ଦୁବ୍ୟର୍ବହାର କରୁଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସ୍ଥାନୀୟଲୋକଙ୍କୁ ଖବର ଦେବା ପରେ ସ୍ଥାନୀୟ ଲୋକେ ଶ୍ରୀକାନ୍ତକୁ କାବୁ କରିବା ସହ ଟାଉନ ଥାନାକୁ ଖବର ଦେଇଥିଲେ। ଟାଉନ ପୁଲିସର ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଂଚି ବୀରକିଶୋରଙ୍କ ଘରୁ ଶ୍ରୀକାନ୍ତକୁ ଧରି ଥାନାକୁ ଆଣିଥିଲା।

ସମ୍ବନ୍ଧିତ ଖବର