ଅବସର ପରେ ବି ମିଳୁନି ପେନ୍‌ସନ୍‌:ଅଭିରାମ ଏବେ ଶଯ୍ୟାଶାୟୀ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ପରାସରା ଗାଁର ଅଭିରାମ ନାଗ ପଞ୍ଚାୟତ ଭିଏଲ୍‌ଡବ୍ଲୁ ପଦରୁ ଅବସର ଗ୍ରହଣ କରିବାରର ଅନେକ ବର୍ଷ ପରେ ବି ପେନ୍‌ସନ ନ ପାଇ ଭାରି ହଇରାଣ ହେଉଛନ୍ତି। ପରିବାର ଚଳାଇବା ଏବେ କଷ୍ଟକର ହୋଇପଡ଼ୁଛି। ଅଭିରାମଙ୍କ ସ୍ତ୍ରୀ, ୬ ଝିଅ ଓ ଗୋଟିଏ ପୁଅ। ତିନି ଝିଅଙ୍କ ବିବାହ ସରିଥିବା ବେଳେ ବର୍ତ୍ତମାନ ୩ ବିବାହଯୋଗ୍ୟା ଝିଅ ଘରେ ଅଛନ୍ତି। ଏକମାତ୍ର ପୁଅ ବାହା ହୋଇ ଅନ୍ୟତ୍ର ରହୁଛି। ଅଭିରାମ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଅଭିରାମ ୧୯୭୨ ମସିହାରେ ପରାଶରା ପଞ୍ଚାୟତରେ ସଂପାଦକ ଭାବେ ଯୋଗ ଦେଇ ୨୦୦୯ରେ ଭିଏଲ୍‌ଡବ୍ଲୁ ଭାବେ ଅବସର ଗ୍ରହଣ କରିଛନ୍ତି। ଏହାକୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯଦି ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ତେବେ ସେ କାହିଁକି ପେନସନ ପାଇ ନାହାଁନ୍ତି ତାହା ବିଭାଗୀୟ ତଦନ୍ତ ପରେ ଜଣା ପଡ଼ିବ। ବାକି ତାଙ୍କ ଚିକିତ୍ସା ବ୍ୟବସ୍ଥା ସରକାରୀ ଡାକ୍ତରଖାନା ମାଧ୍ୟମରେ କରା ଯାଇପାରିବ। ଏହା ସହ ତାଙ୍କର ଯେଉଁ ଝିଅ ମାନେ ଅଧାରୁ ପାଠ ଛାଡ଼ି ଘରେ ବସିଛନ୍ତି ସେମାନଙ୍କୁ ଓଡ଼ିଶା ଜୀବିକା ମିସନ ମାଧ୍ୟମରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ଆର୍ଥିକ ସ୍ତରରେ ସକ୍ଷମ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର