ବଲାଙ୍ଗୀରରେ ଆଚାର୍ଯ୍ୟ ମହାଶ୍ରମଣ:ଧର୍ମୀୟ ଭାବନା ଓ ବିଶ୍ୱାସ ଯୋଗୁଁ ଜୈନ ଧର୍ମ ଜୀବିତ

ବଲାଙ୍ଗୀର: ଜୈନ ଧର୍ମ ବିଶ୍ୱାସ ଉପରେ ନିର୍ଭର କରି ଆଜି ଯାଏ ତିଷ୍ଠିଛି। ଜୈନ ସଂପ୍ରଦାୟର ଲୋକେ ଦେଶରେ ଖୁବ କମ୍‌। କିନ୍ତୁ ସେମାନଙ୍କ ଧର୍ମୀୟ ଭାବନା ଓ ବିଶ୍ୱାସ ଯୋଗୁଁ ଆଜି ଧର୍ମ ଜୀବିତ ରହିଛି। ସେହି ପଥକୁ ଅନୁସରଣ କରି ବର୍ଷ ପରେ ବର୍ଷ ଆମକୁ ଧର୍ମୀୟ ବିଶ୍ୱାସକୁ ଆଗେଇ ନେବାକୁ ହେବ। ଧର୍ମର ମୂଳମନ୍ତ୍ର ସଦଭାବନା, ନୈତିକତା ଓ ନିଶା ନିବାରଣ। ତେଣୁ ଏହାକୁ ନେଇ ଦିଲ୍ଲୀ ଲାଲକିଲ୍ଲାରୁ ୨୦୧୪ରୁ ଆରମ୍ଭ ହୋଇଛି ଅହିଂସା ଯାତ୍ରା। ନେପାଳ, ଭୁଟାନ ଭଳି ଦେଶ ଦେଇ ଭାରତର ବିଭିନ୍ନ ରାଜ୍ୟରେ ଅହିଂସାର ବାର୍ତ୍ତା ଦିଆଯାଇଆସିଛି। ଅହିଂସା ଯାତ୍ରା କ୍ରମରେ ଜୈନ ଧର୍ମର ୧୧ତମ ଧର୍ମଗୁରୁ ଆଚାର୍ଯ୍ୟ ମହାଶ୍ରମଣ ଓ ଅନ୍ୟ ସାଧୁ-ସାଧ୍ୱୀମାନେ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ କଳାମଣ୍ଡଳରେ ଅନୁଷ୍ଠିତ ପ୍ରବଚନରେ ଧର୍ମଗୁରୁ ଆଚାର୍ଯ୍ୟ ମହାଶ୍ରମଣ ଏହା କହିଥିଲେ।
ମଙ୍ଗଳବାର ସକାଳେ ସୋନପୁର ରୋଡ ରୋଶନି ପବ୍ଲିକ ସ୍କୁଲ ଛକରୁ ଆଚାର୍ଯ୍ୟ ମହାଶ୍ରମଣଙ୍କ ଶୋଭାଯାତ୍ରାକୁ ସ୍ୱାଗତ କରାଯାଇଥିଲା। ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା, ଟିକ୍ରାପଡ଼ା ଛକରୁ ଶୋଭାଯାତ୍ରା ତେରାପନ୍ଥ ଭବନରେ ପହଞ୍ଚିଥିଲା। ଏହି ଅବସରରେ ବଲାଙ୍ଗୀର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଚାର୍ଯ୍ୟ ମହାଶ୍ରମଣଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଦିନ ୧୦ଟାରେ କୋଶଳ କଳାମଣ୍ଡଳରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଚାର୍ଯ୍ୟ ମହାଶ୍ରମଣଙ୍କ ସହ ବିଶ୍ୱାତ୍ମା ଚେତନା ପରିଷଦର ସ୍ୱାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ଓ ଅନ୍ୟମାନେ ମଞ୍ଚାସୀନ ଥିଲେ। ଜୈନ ଧର୍ମର ପ୍ରତିଷ୍ଠା ଓ କେଉଁ ପ୍ରସଙ୍ଗ ଉପରେ ଧର୍ମ ବିଶ୍ୱାସ କରେ ସେ ଉପରେ ଆଚାର୍ଯ୍ୟ ଆଲୋଚନା କରିବା ସହ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ଏହି ଶୋଭାଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଜୈନ ଧର୍ମର ଲୋକଙ୍କ ସହ ବଲାଙ୍ଗୀର, ଟିଟିଲାଗଡ ସହ ସମ୍ବଲପୁର, କଳାହାଣ୍ଡି, ବରଗଡ ଭଳି ବିଭିନ୍ନ ଜିଲ୍ଲାର ଜୈନ ଧର୍ମର ଲୋକେ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜୈନ ସଭାର ଓଡିଶା ପ୍ରାନ୍ତିୟ ଅଧ୍ୟକ୍ଷ କୈବଲ ଚନ୍ଦ ଜୈନ, ବଲାଙ୍ଗୀର ସଭାର ଅଧ୍ୟକ୍ଷ ପୃଥ୍ଵୀରାଜ ଜୈନ, ଟିଟିଲାଗଡ ଓମପ୍ରକାଶ ଜୈନଙ୍କ ସହ ୧୨ଟି ପ୍ରାନ୍ତର କର୍ମକର୍ତ୍ତା ପରିଚାଳନା କରିଥିଲେ। ବଲାଙ୍ଗୀରରୁ ଅପରାହ୍ନରେ ଆଚାର୍ଯ୍ୟ ମହାଶ୍ରମଣ କଣ୍ଟାବାଞ୍ଜି ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ତିନି ଦିନ ଧରି ରହିବା ସହ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର