ମଞ୍ଚରେ ଗେହ୍ଲା ପୁଅ ଅର୍କେଶ, ନିହାରଙ୍କୁ ଚିହ୍ନା କରାଇଲେ ଯୋଗେନ୍ଦ୍ର

ରାଜନୀତିରେ ଉତ୍ତରାଧିକାରୀ ନୀତି

ପଛରେ ରହିଗଲେ ଫିରୋଜ, ଅନେଇ ରହିଲେ ଆୟୁବ
ବଲାଙ୍ଗୀର: ଶନିବାର, କୋଶଳ କଳାମଣ୍ଡଳ ମଞ୍ଚ। ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ସମାବେଶ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବସିଥିଲେ। ଆଉ ତାଙ୍କ ଆଖ ପାଖରେ ନିଜର ପତିଆରା ଦେଖାଇବା ପାଇଁ ଅନେକ ନେତା ସୁଯୋଗ ଖୋଜୁଥିଲେ। କିଏ ସେଲ୍‌ଫି ନେଉଥିଲା ତ କିଏ ମଞ୍ଚ ଆଗକୁ ଆସି ନେତାଙ୍କ ପରାମର୍ଶ ନେବା ଛଳରେ ପଇଁତରା ମାରୁଥିଲା। ନବୀନଙ୍କୁ ଫୁଲମାଳ ଚଢ଼ାଇବା ପାଇଁ ବି ଚାଲିଥିଲା ପ୍ରତିଯୋଗିତା। ହେଲେ ଗୋଟିଏ ଦୃଶ୍ୟ ସମାବେଶର ସବୁ ଘଟଣାକୁ ଫିକା କରିଦେଲା। ଗୋଟିଏ ମୁହୂର୍ତ୍ତର ଦୃଶ୍ୟ ଥିଲା ବେଶ୍‌ ଘଟଣାବହୁଳ। କାହା ପାଇଁ ଆଶୀର୍ବାଦ ତ କାହା ପାଇଁ ଅଡୁଆ।
ପରିବାରବାଦ ରାଜନୀତିକୁ ନେଇ ବିବାଦ ରହିଛି। ଖାସ୍‌ କରି ବଲାଙ୍ଗୀର ଜିଲ୍ଲାରେ କାଁ ଭାଁ କେତେଜଣ ନେତାଙ୍କୁ ଛାଡ଼ି ଦେଲେ ଅନେକେ ରାଜନୀତିରେ ଉତ୍ତରାଧିକାରୀ ସୂତ୍ରରେ ଓ ପରିବାରବାଦ ନୀତି ଅନୁସାରେ ଲୋକଲୋଚନକୁ ଆସିଛନ୍ତି। କିଛି ଦିନ ତଳେ ରାଜ୍ୟ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ନରସିଂହ ମିଶ୍ର ଭୋଟ ରାଜନୀତିରେ ରହିବେ ନାହିଁ ବୋଲି କହିଥିଲେ। ଆଉ ତା’ପରେ ଆରମ୍ଭ ହୋଇ ଯାଇଥିଲା ପୁଅ ତଥା ଯୁବନେତା ସମରେନ୍ଦ୍ରଙ୍କ ଆଡ଼କୁ ସମାଲୋଚକଙ୍କ ଇସାରା। ପୁଅ ପାଇଁ ବାପା ରାଜନୀତିର ରାସ୍ତାରୁ ଓହରି ଯାଉଥିବା ଆଲୋଚନା ଜାରି ରହିଥିଲା। ତେବେ ସୋମବାର ବଲାଙ୍ଗୀରରେ ବିଜେଡି ସମାବେଶରେ ଗୋଟିଏ ଝଲକ ହିଁ ଏହି ଚର୍ଚ୍ଚାକୁ ଆଉ ପାଦେ ଆଗକୁ ନେଇଯାଇଛି।
ସମାବେଶରେ ନେତା, ମନ୍ତ୍ରୀ ଭାଷଣ ଦେଉଥିଲେ। ମଞ୍ଚର ଆଗ ଧାଡ଼ିରେ ବସିଥିଲେ ବି ପ୍ରକୃତି ଦେବୀ, ଶ୍ରୀମୟୀ ମିଶ୍ରଙ୍କୁ ଭାଷଣ ଦେବାକୁ ସୁଯୋଗ ମିଳିଲାନି। ଅର୍କେଶ ଗେହ୍ଲା ପୁଅ ଭଳି ମାଇକ୍‌ ପାଇଗଲେ। ତେବେ ଦୁଃଖର କଥା ଅର୍କେଶ ମାଇକ୍‌ ଧରିବା ବେଳକୁ ମଞ୍ଚ ଛାଡ଼ି ବ୍ରେକରେ ପଛ ଆଡ଼କୁ ଚାଲିଗଲେ ମୁଖ୍ୟମନ୍ତ୍ରୀ। ସେ ଫେରିବା ବେଳକୁ ସରି ଯାଇଥିଲା ଅର୍କେଶଙ୍କ ଭାଷଣ। ଆଉ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଥିବା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସୁଯୋଗ ଦେଖି ତାଙ୍କ ପୁଅ ରାଜ୍ୟ ଯୁବ ବିଜେଡିର ସଂପାଦକ ଥିବା ନିହାର ରଂଜନ ବେହେରାଙ୍କୁ ହାତ ଠାରି ପାଖକୁ ଆସିବାକୁ ଡାକିଲେ। ନିହାର ପାଖକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନାଇ ଦେଇଥିଲେ। ନମସ୍କାର ମୁଦ୍ରାରେ ଅଣ୍ଟା ନୁଆଁଇ ଠିଆ ହୋଇଥିବା ନିହାର ମୁଖ୍ୟମନ୍ତ୍ରୀଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେଲେ। ଆଉ କିଛି ସମୟ ପୁଣି ଠିଆ ହେଲେ ସେହି ଭଳି। ଠିକ ସେତିକି ବେଳେ ମଞ୍ଚରେ ବସିଥିବା ଓ ଅନ୍ୟ ନେତାମାନଙ୍କ ମୁହଁ ଦେଖିବା ଭଳି ଥିଲା। ସାଂସଦ ଅନଙ୍ଗ ଉଦୟ ଓ କଳିକେଶ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଚାହୁଁ ଥିବା ବେଳେ ମୁହଁ ଆଉଁସିି ହେଉଥିଲେ ଅର୍କେଶ। ଠିକ୍‌ ସେହିପରି କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ୍‌ ବି ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅନାଇ ରହିଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସିଂହଦେଓ ପରିବାରର ବନ୍ଧୁତା ଦୃଷ୍ଟିରୁ ଅର୍କେଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବା କିଛି ସମସ୍ୟା ନଥିବା ବେଳେ ବିଧାୟକ ଶ୍ରୀ ବେହେରାଙ୍କ ପୁଅ ଆଶୀର୍ବାଦ ବି ନେଲେ। ହେଲେ ପଛ ଧାଡ଼ିରେ ରହିଗଲେ ବିଧାୟକ ଜନାବ ଖାନ୍‌ଙ୍କ ପୁଅ ଫିରୋଜ।
ଜିଲ୍ଲା ବିଜେଡି ରାଜନୀତିରେ ଓ ବଲାଙ୍ଗୀରର ବର୍ତ୍ତମାନ ସ୍ଥିତିରେ ଦେଖିଲେ ଶାସକ ଦଳର ଅନେକ ନେତା ପ୍ରତ୍ୟକ୍ଷ ନିର୍ବାଚନରେ ଲଢିବା ସମ୍ଭାବନା ଢେର କମ୍‌। ଆଗାମୀ ନିର୍ବାଚନରେ ଏହି ନେତାଏ ଦଳରୁ ବାଦ୍‌ ପଡ଼ିବା ଆଶଙ୍କା ବି ବଢିଛି। ଆଉ ସମାବେଶରେ ଯେଉଁଭଳି ପରିଚୟ, ଆଶୀର୍ବାଦର ମାହୋଲ ଥିଲା ତାହା ଦେଖି ପିତା ପରେ ପୁତ୍ର ପାଳି ବୋଲି ସାଧାରଣରେ ଆଲୋଚନା ହେଉଥିଲା।

ସମ୍ବନ୍ଧିତ ଖବର