ସାବଧାନ, ଟିଟିଲାଗଡ଼କୁ ବି ଲମ୍ବିଛିି ଦେହ ବ୍ୟବସାୟର ଚେର

ଟିଟିଲାଗଡ଼: ଟିଟିଲାଗଡ଼, ପଶ୍ଚିମ ଓଡିଶାର ଏହି ସହରର ଗୁରୁତ୍ୱ ରାଜନୈତିକ ଦୃଷ୍ଟିକୋଣରୁ ହେଉ କି ଗମନାଗମନ କ୍ଷେତ୍ରକୁ ନେଇ ହେଉ ଏକ ବିଶେଷ ପରିଚୟ ସୃଷ୍ଟି କରିଛି। ପଶ୍ଚିମ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ସହର ଠାରୁ ରେଳ ଯୋଗାଯୋଗ କ୍ଷେତ୍ରରେ ଟିଟିଲାଗଡ଼ ନିଶ୍ଚିତ ଭାବରେ ଅନେକ ଆଗୁଆ ରହିଛି। ତେବେ ଏହା ଟିଟିଲାଗଡ଼ ପାଇଁ ଯେତିକି ଆଗକୁ ବଢିବାର ସୁଯୋଗ ସୃଷ୍ଟି କରିଛି ଅପରାଧିକ କାର୍ଯ୍ୟକଳାପର ବୃଦ୍ଧି ପାଇଁ ମଧ୍ୟ ସେତିକି ସୁବିଧା ସାଜିଛି। ଏକ ଶାନ୍ତ ସହର ଭାବେ ପରିଗଣିତ ହେଉଥିବା ଟିଟିଲାଗଡ଼ ସହରରେ ଦେହ ବ୍ୟବସାୟ କାୟା ମେଲିବା ଆରମ୍ଭ କଲାଣି। ଗୁରୁବାର ଟିଟିଲାଗଡ଼ରୁ ପଶ୍ଚିମବଙ୍ଗର ୩ଜଣ ଯୁବତୀ ଉଦ୍ଧାର ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଚାକିରିର ପ୍ରଲୋଭନ ଦେଖାଇ ଜଣେ ମହିଳା ଦଲାଲ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ୩ ଜଣ ମହିଳାଙ୍କୁ ଟିଟିଲାଗଡ଼କୁ ନେଇ ଆସିଥିଲେ। ସହରର ଘାସି ନାଗ ନାମକ ଜଣେ ଯୁବକଙ୍କ ସହ ସଂପର୍କ କରି ସଂପୃକ୍ତା ମହିଳା ସେମାନଙ୍କୁ ଟିଟିଲାଗଡ଼ ଥାନା ଭାଟିପଡ଼ା ସ୍ଥିତ ଏକ ଘରେ ରଖିଥିଲା। ଦେହ ବ୍ୟବସାୟ ପାଇଁ ଉଦ୍ୟମ କରିଥିଲା। କୌଶଳ କ୍ରମେ ଖସି ଯାଇ ଜଣେ ଯୁବତୀ ଥାନାର ଆଶ୍ରୟ ନେଇଥିଲେ। ପୁଲିସ ୩ ଯୁବତୀଙ୍କୁ ଉଦ୍ଧାର କରିବା ସହ ସଂପୃକ୍ତ ମହିଳା ଓ ଘାସିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତେବେ ଶୁଣିବାକୁ ମିଳେ ଯେ ଏହି କାହାଣୀ କିଛି ନୂଆ ନୁହେଁ। କିଛି ବର୍ଷ ହେଲା ଭାଟିପଡ଼ା ଅଞ୍ଚଳରେ ଏହି ବ୍ୟବସାୟ ଚାଲିଛି। ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ ଟିଟିଲାଗଡ଼ ସହରର କିଛି ଯୁବକ ମିଶି କୋଲକାତା, ବଲାଙ୍ଗୀର ଓ ଭୁବନେଶ୍ୱର ଅଞ୍ଚଳରୁ ମଧ୍ୟ ଯୁବତୀଙ୍କୁ ଆଣି ଏହି ବ୍ୟବସାୟରେ ନିୟୋଜିତ କରିଥାନ୍ତି। ସେମାନଙ୍କ କିଛି ନିୟମିତ ଗ୍ରାହକ ରହିଥିବା ବେଳେ ନୂଆ ନୂଆ ଗ୍ରାହକଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ। ଜଣେ ଜଣେ ଗ୍ରାହକଙ୍କ ଠାରୁ ଏମାନେ ପନ୍ଦର ଶହରୁ ଦୁଇ ହଜାର ଟଙ୍କା ନେଉଥିବା ବେଳେ ସଂପୃକ୍ତା ଯୁବତୀ ମାନଙ୍କୁ କେତେ ପାଉଣା ମିଳେ ତାହା ଜଣା ପଡେ ନାହିଁ। ଏମିତିରେ କେବେ କେବେ ପାଉଣାକୁ ନେଇ ସ୍ଥାନୀୟ ଯୁବକ ତଥା ସେମାନଙ୍କ ଡାକରାରେ ଆସିଥିବା ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା କଥା ମଧ୍ୟ ଶୁଣିବାକୁ ମିଳେ। ତେବେ ପଶ୍ଚିମବଙ୍ଗର ଯୁବତୀମାନେ ହିଁ ଏହି ଅଞ୍ଚଳର ଯୁବକଙ୍କ ପସନ୍ଦ ଥିବାରୁ ସେଠାରୁ ଅଧିକ ଯୁବତୀ ଆସୁଥିବା ଚର୍ଚ୍ଚା ହେଉଛି।

ଟିଟିଲାଗଡରେ ଆରମ୍ଭ ହୋଇଥିବା ଏହି କଳା ବ୍ୟବସାୟ ଉପରେ ଟିଟିଲାଗଡ଼ ଥାନାଧିକାରୀ ବିଜୟାନନ୍ଦ କରକରା କହିଛନ୍ତି ଯେ, ପୂର୍ବରୁ ଏଠାରେ ଏପରି କୌଣସି ଅଭିଯୋଗ ଶୁଣିବାକୁ ମିଳୁ ନଥିଲା। କିନ୍ତୁ ଗୁରୁବାର ମିଳିଥିବା ଅଭିଯୋଗ ଆଧାରରେ ପୁଲିସ ତ୍ୱରିତ ପଦକ୍ଷେପ ନେଇ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯଦି ଆଗକୁ ବି ଏପରି କୌଣସି ଅଭିଯୋଗ ଆସେ ତେବେ ପୁଲିସ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର