ବିଜେଡି ସାମ୍ବାଦିକ ସମ୍ମିଳନୀର ଜବାବ ଦେଲା କଂଗ୍ରେସ ରାଜପରିବାରର ପୁରୁଣା ପେଡ଼ି ଖୋଲିଲା

କଂଗ୍ରେସ ବି ଫଟୋ ଜାରି କଲା

ବଲାଙ୍ଗୀର: ପୁଇଁତଲା ବିଡିଓ ଅପହରଣ ମାମଲାରେ ବିଜେଡି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଶନିବାର ବିଜେଡି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀର ଆଜି ଜବାବ ରଖିଛି କଂଗ୍ରେସ। ବଲାଙ୍ଗୀରରେ ଅପରାଧ ବଢ଼ିବାରେ ବିଜେଡି ହିଁ ଦାୟୀ ବୋଲି କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଭିଯୋଗ ଉଠାଇଛି। ସ୍ଥାନୀୟ ଦୈନିକ ବଜାରସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଅସୀମ ପଟ୍ଟନାୟକ କହିଛନ୍ତି, ଆମେ ସବୁବେଳେ ଶାନ୍ତିରେ ବିଶ୍ୱାସ କରୁ। ଆମେ ପ୍ରଗତିରେ ବିଶ୍ୱାସ କରୁ। ଆମର ଦଳୀୟ ନେତା ନରସିଂହ ମିଶ୍ର ମଧ୍ୟ ଶାନ୍ତି ଓ ପ୍ରଗତିରେ ବିଶ୍ୱାସ କରନ୍ତି। କଂଗ୍ରେସ ସବୁବେଳେ ବିକାଶ ପାଇଁ ଆଗେଇଛି। ହେଲେ ଏବେ ବିଜେଡି ଓ ରାଜପରିବାର ପ୍ରାୟୋଜିତ କାର୍ଯ୍ୟକ୍ରମ କରି କଂଗ୍ରେସକୁ ବଦନାମ କରିବାକୁ ଅପପ୍ରଚାର ଚଳାଇଛନ୍ତି। ଅପପ୍ରଚାର ପୂର୍ବରୁ ନିଜେ ନିଜକୁ ଟିକିଏ ଦେଖନ୍ତୁ ବୋଲି ସେ କହିଛନ୍ତି। ଶନିବାର ବିଜେଡିରେ ନୂତନ କରି ସାମିଲ ହୋଇ ଯେଉଁନେତା କଂଗ୍ରେସକୁ ଅଙ୍ଗୁଳି ଉଠାଇଛନ୍ତି ସେ ତାଙ୍କ ନିଜ ପରିବାରର ଜଣେ ସଦସ୍ୟଙ୍କ କଥା ଭାବନ୍ତୁ। ତାଙ୍କ ଭାଇ ଲୋଇସିଂହା ବ୍ଲକର ଉପାଧ୍ୟକ୍ଷ ଥିବା ସମୟରେ ଚନ୍ଦନ ଭାଟିଠାରେ ବଡବାବୁ ଏବଂ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା କରିଥିଲେ। ତାଙ୍କ ଭାଇ ଏବେ ଜେଲରେ ରହିଛନ୍ତି। ଠିକ୍ ସମାନ ତରିକାରେ ବିଗତ ଦିନରେ ଅଭିମନ୍ୟୁ ସାହୁଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ସେ ସମୟରେ ଟିଟିଲାଗଡ଼ର ବିଜେଡି କର୍ମୀମାନେ ଅଭିମନ୍ୟୁଙ୍କ ଶବଦାହ ସମୟରେ ରାଜ ପରିବାରକୁ ବିରୋଧ କରିଥିଲେ। ତାହାର ସିବିଆଇ ତଦନ୍ତ ହେଲେ ସବୁକିଛି ଲିଙ୍କ ସାମ୍ନାକୁ ଆସିବ ବୋଲି କହିଥିଲେ। ସେହିପରି ରାଜ ପରିବାର ପକ୍ଷରୁ ଜମି ମାଫିଆ କଂଗ୍ରେସରେ ଅଛନ୍ତି ବୋଲି କୁହାଯାଉଛି। କିନ୍ତୁ ବିଜେଡିର ମଙ୍ଗ ସମ୍ଭାଳୁଥିବା ରାଜ ପରିବାର ୭୦୦ ଏକର ସିଲିଂ ବହିର୍ଭୁତ ଜମିକୁ ବେଆଇନ ଭାବରେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ଉଠାଇଥିଲେ। ସିଲିଂ ଜମି ଦୁର୍ନୀତିରେ ଆଇନଗତ ପଦକ୍ଷେପ କଂଗ୍ରେସ ନେବ ବୋଲି କହିଛନ୍ତି। ଏପଟେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ନିଜେ ତାଙ୍କ କିଡନି ପ୍ରତ୍ୟାରୋପଣରେ ଆଇନକୁ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା କଂଗ୍ରେସ କହିଛି। ଏହାର ଜବାବ ଆଗାମୀ ନିର୍ବାଚନରେ ଜନସାଧାରଣ ନିଶ୍ଚୟ ଦେବେ ବୋଲି କଂଗ୍ରେସ ପ୍ରଚାର କମିଟି ପକ୍ଷରୁ କୁହାଯାଇଛି। ସେହିପରି ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ କଂଗ୍ରେସ ଓ ଦଳୀୟ ନେତାଙ୍କୁ ଅପପ୍ରଚାର କରି ବଦନାମ କରାଯାଉଛି। ଏହାର ଜବାବ କଂଗ୍ରେସ ଆଗାମୀ ଦିନରେ ଦେବ। ଏହାସହ କଂଗ୍ରେସକୁ ବଦନାମ କରିବାରୁ ବିଜେଡି କ୍ଷାନ୍ତ ରହୁ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସମ୍ପାଦକ ସୁଦାମ ସାହୁ, ଜିଲ୍ଲା କଂଗ୍ରେସ ଉପ ସଭାପତି ସନ୍ତକ ବହିଦାର ଓ ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଗତ କିଛି ଦିନ ତଳେ ବେଆଇନ କଫସିରପ ବିପୁଳ ପରିମାଣରେ ପୁଲିସ ଜବତ କରିଥିଲା। ସେଥିରେ ଜଣେ ବିଜୁ ଛାତ୍ର ଜନତା ଦଳର ସଦସ୍ୟଙ୍କୁ ପୁଲିସ ପଚରାଉଚୁରା କରି ପରବର୍ତ୍ତୀ ମୁହୂର୍ତ୍ତରେ ପୁଲିସ ଛାଡ଼ି ଦେଇଥିବା କଂଗ୍ରେସ ପ୍ରଚାର କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେଡି ଓ ରାଜ ପରିବାରର କଫସିରପ ବ୍ୟବସାୟରେ ମଧ୍ୟ ଲିଙ୍କ ରହିଛି ବୋଲି ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଫଟୋ ଜାରି କରାଯାଇଛି। ଉକ୍ତ ଫଟୋ ଗୁଡିକରେ ଜଣେ ଯୁବକ କଫସିରପ ଧରିଛନ୍ତି। ଏଭଳି ନିଶାଖୋର ଯୁବକଙ୍କ ନେତାଙ୍କ ଫଟୋ ଓ କଫସିରପ ମାମଲାରେ ଛାତ୍ର ଜନତା ଦଳ ନେତାଙ୍କୁ ପୁଲିସ ପଚରାଉଚୁରା କରିବା କଫସିରପ କାରବାରରେ ବିଜେଡିର ଘନିଷ୍ଠ ସଂପର୍କ ଥିବା ପ୍ରମାଣିତ କରୁଛି ବୋଲି କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଅସୀମ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର