କଂଟାବାଞ୍ଜି: କଂଟାବାଞ୍ଜି ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେପି ନେତା ରାଷ୍ଟ୍ରପତି ବେହେରାଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏକ ରାଜନୈତିକ କାମରେ ସେ ଭୁବନେଶ୍ୱର ଯାଉଥିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଖାରୀ ନିକଟରେ ଏକ ହାଇୱା ଗାଡ଼ି ତାଙ୍କ ଗାଡ଼ିକୁ ଆଗପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶ୍ରୀ ବେହେରାଙ୍କ ମୃତ୍ୟୁ ହୋଇଥିଲା। କଂଟାବାଞ୍ଜି ସିଗନାଲପଡ଼ାର ଧରମ ୟାଦବ (୪୦)ଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଡାକ୍ତରଖାନାରେ ଧରମଙ୍କ ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା। ଗାଡ଼ିରେ ଥିବା ଅନ୍ୟ ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ଏହା ସାଧାରଣ ଦୁର୍ଘଟଣା ନୁହେଁ, ବରଂ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସ୍ବର୍ଗତ ବେହେରାଙ୍କ ପୁତୁରା ଅଭିଯୋଗ କରିଛନ୍ତି। ବଲାଙ୍ଗୀର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ପୈତୃକ ଗାଁ ବଙ୍ଗୋମୁଣ୍ଡା ବ୍ଲକ ବିରିପାଲିରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଛି।
ରାଷ୍ଟ୍ରପତିଙ୍କ ରାଜନୈତିକ ଜୀବନ
ରାଷ୍ଟ୍ରପତି ବେହେରା ତାଙ୍କ ରାଜନୈତିକ ଜୀବନ ବିରିପାଲି ପଂଚାୟତର ସରପଞ୍ଚ ଭାବେ ଆରମ୍ଭ କରିଥିଲେ। ସେ ପରେ ସମିତି ସଭ୍ୟ ଭାବେ ରହି ୨୦୦୦ ମସିହାରେ କଂଗ୍ରେସ ଦଳକୁ ସମର୍ଥନ କରୁଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକର ଉପାଧ୍ୟକ୍ଷ ଥିଲେ। ୨୦୧୪ରେ ବିଜେଡିରେ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ଟିକଟ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଲେ। ବିଜେପିରେ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ସେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ଆଶାୟୀ ପ୍ରାର୍ଥୀ ଥିଲେ। କିନ୍ତୁ, ଟିକଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ପରେ ନିଜ ସମର୍ଥକଙ୍କ ସହ ବୈଠକ କରି ରାଜନୀତିରେ ସକ୍ରିୟ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ହଠାତ ୫୦୦ରୁ ଅଧିକ ସମର୍ଥକଙ୍କୁ ନେଇ ବିଜେଡିରେ ଯୋଗ ଦେବା ପାଇଁ ଭୁବନେଶ୍ବର ବାହାରିଥିଲେ।
ଝୁରିବ ସାରା ଅଂଚଳ
ରାଷ୍ଟ୍ରପତି ବେହେରା ଏକାଧାରରେ ଜଣେ ସମାଜସେବୀ, ରାଜନେତା ଏବଂ ସଂଗୀତରେ ରୁଚି ରଖୁଥିବା ଲୋକ। କଂଟାବାଞ୍ଜି ନିର୍ବାଚନମଣ୍ଡଳୀରେ ସେ ବେଶ୍ ପରିଚିତ। ବିଜେଡିରୁ ବିଜେପିକୁ ଆସିଥିଲେ। ବଙ୍ଗୋମୁଣ୍ଡା ବ୍ଲକର ପୂର୍ବ ଉପାଧ୍ୟକ୍ଷ ଥିଲେ। ବିଜେପିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ସହ ଚଳିତ ନିର୍ବାଚନରେ କଂଟାବାଞ୍ଜି ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ବିଜେପି ତାଙ୍କୁ ଟିକଟ ଦେଇ ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ। ବିରିପାଲି ଗାଁରେ ତାଙ୍କ ପରିବାରରୁ କେହି ନା କେହି ସରପଂଚ କିମ୍ବା ଅନ୍ୟ ପଦ ପଦବିରେ ରହି ଆସିଛନ୍ତି। ଦୁର୍ଘଟଣାରେ ତାଙ୍କ ମୃ୍ତ୍ୟୁକୁ ନେଇ କଂଟାବାଞ୍ଜି ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କେବଳ ଯେ ତାଙ୍କ ପରିବାରର କ୍ଷତି ହୋଇଛି ତାହା ନୁହେଁ, ଏ ଅଂଚଳ ତଥା ରାଜନୈତିକ ଦଳର ମଧ୍ୟ ଏକ ବଡ଼ କ୍ଷତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/blgr-2.jpg)