ବଲାଙ୍ଗୀର ଜିଲ୍ଲା ପଛୁଆ ରହିବା ପାଇଁ ଦାୟୀ କିଏ?ଦୁର୍ନୀତି ଓ ନେତାଗିରିରେ ଫସୁଛି ପ୍ରକଳ୍ପ!

ବଲାଙ୍ଗୀର: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ବଲାଙ୍ଗୀର ରାଜନୀତି। ଦୁର୍ନୀତି ପ୍ରସଙ୍ଗରେ ବି ବଲାଙ୍ଗୀର ଚର୍ଚ୍ଚିତ। ଏସବୁ ଭିତରେ ଫସିଯାଇଛି ଅନେକ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତା। ଜଳସେଚନ ଠାରୁ ନେଇ ଗରିବି ସମସ୍ୟା, ଦାଦନ ସମସ୍ୟା, ଚାଷୀ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଛି ବଲାଙ୍ଗୀର ଜିଲ୍ଲା। ବିଗତ ଦଶନ୍ଧି ହେଲା ଜିଲ୍ଲାରେ ଏସବୁ ସମସ୍ୟା ଲାଗି ରହିଥିଲେ ହେଁ ସମାଧାନ ହୋଇପାରୁନି। ପଛୁଆ ଜିଲ୍ଲା ଭାବେ ଆଜି ବି ବଲାଙ୍ଗୀରକୁ ଗଣନା କରାଯାଉଛି।
ଦେଓଗାଁସ୍ଥିତ ଚିନିକଳ ବନ୍ଦ ହୋଇ ପଡ଼ିରହିଛି। ଦେଓଗାଁ ବ୍ଲକର ହଜାର ହଜାର ଆଖୁ ଚାଷୀ ଏବେ ଚାଷ ଛାଡ଼ି ଦିନମଜୁରିଆ ହୋଇଗଲେଣି। ଏହି ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବହୁ ରାଜନେତା ଓ ସଂଗଠନର ନେତୃବୃନ୍ଦ ଦାବି କରିଛନ୍ତି। କିନ୍ତୁ ଚିନିକଳ ଭାଗ୍ୟ ଏବେ ବି ଅନ୍ଧାର। ଦୁର୍ନୀତି ଓ ରାଜନୀତିରେ ବଳି ପଡ଼ିଥିଲା ଚିନିକଳ।
ସେହିପରି ବଲାଙ୍ଗୀର ବାଇପାସ ରାସ୍ତା ପ୍ରସଙ୍ଗ। ରାସ୍ତାଟିଏ ପାଇଁ ଅନେକ ବାର ଆନ୍ଦୋଳନ ହେଲାଣି। ଦୁର୍ଘଟଣା ଘଟିଲେ କେଇଟା ମିନିଟରେ ବଲାଙ୍ଗୀର ବନ୍ଦ ହୋଇଯାଏ। ରାସ୍ତାରୋକ ହୋଇଯାଏ। ବାଇପାସ ଦାବି କରି ରାଜନେତା ଓ ସଂଗଠନର ନେତୃବୃନ୍ଦ ଦାବି ଉଠାଇଥାନ୍ତି। କିନ୍ତୁ ବାଇପାସ ମଧ୍ୟ ଦୁର୍ନୀତି ଓ ରାଜନୀତିରେ ଫସିରହିଛି। ଏହାର କାମ ଆରମ୍ଭ କେବେ ହେବ ତାହା କାହାରିକୁ ଜଣା ନାହିଁ।
ଲୋୟର ସୁକତେଲ ପ୍ରକଳ୍ପର ଅବସ୍ଥା ମଧ୍ୟ ଠିକ ସେହିଭଳି ରହିଛି। ପ୍ରକଳ୍ପ କାମ ୨୦୧୩ ମସିହାରେ ଆରମ୍ଭ ହୋଇ ଚାଲୁ ରହିଥିଲା। କିନ୍ତୁ ସେଥିରେ ବି ରାଜନୀତି ପଶିବାରୁ ପ୍ରକଳ୍ପ କାମ ଅଟକି ଯାଇଥିବା ଅଭିଯୋଗ ହୁଏ। ବଲାଙ୍ଗୀର-ଖୋର୍ଦ୍ଧା ରେଳ ପ୍ରକଳ୍ପ କାମ ବିଛୁପାଲି ଯାଏଁ ହୋଇଛି। ଆଗକୁ ସେହି କାମ ଚାଲୁ ରହିଥିଲେ ହେଁ କଚ୍ଛପ ଗତିରେ ଚାଲିଛି। ଉକ୍ତ ପ୍ରକଳ୍ପକୁ ନେଇ ମଧ୍ୟ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସବୁବେଳେ ରାଜନୀତି ହୋଇଆସିଛି।
୨୦୧୯ ଯାଏଁ ବଲାଙ୍ଗୀର ଜିଲ୍ଲାରୁ ଦାଦନ ସମସ୍ୟା ମୂଳୋତ୍ପାଟନ ହେବ ବୋଲି ତତ୍କାଳୀନ ଶ୍ରମମନ୍ତ୍ରୀ କହିଥିଲେ। ଟାଟା ଟ୍ରଷ୍ଟ ପକ୍ଷରୁ ପାଟଣାଗଡ଼ ସମେତ ଆଉ କିଛି ସ୍ଥାନରେ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଉଥିବା କୁହାଯାଇଥିଲା। ୧୦୦ କୋଟିରୁ ଅଧିକ ଟଙ୍କା ଆସି ଖର୍ଚ୍ଚ ହୋଇଥିଲା। କିନ୍ତୁ ଦାଦନ ସମସ୍ୟା ଏବେ ବି ଜିଲ୍ଲାରେ କମିବାର ନାଁ ନେଇନି। ଜଳସେଚନ କଥା ନକହିବା ଭଲ। ଠିକା କମ୍ପାନିର ମନମାନୀ ଯୋଗୁଁ ଏବେ ଚାଷୀମାନେ ହଇରାଣ ହରକତ ହେଉଛନ୍ତି। ଗୁଡ଼ଭେଲା ବ୍ଲକରେ ମେଗାଲିଫ୍ଟ କାମ ହୋଇଥିଲା। କିନ୍ତୁ ସେଥିରେ ଦୁର୍ନୀତିଖୋର ମନୋଭାବ ରଖି ଠିକା ସଂସ୍ଥା କାମ କରିଥିବାରୁ ଜମିମାନଙ୍କୁ ପାଣି ମାଡୁନି। ଚାଷୀମାନେ ଯେଉଁ ପରିସ୍ଥିତିରେ ଥିଲେ ଠିକ ସେହିଭଳି ରହିଛନ୍ତି। ଏଭଳି ଅନେକ ପ୍ରକଳ୍ପ ରାଜନୀତି ନଚେତ ଦୁର୍ନୀତିରେ ଫସି ରହୁଛି। ସେହିପରି ସରକାରୀ ଯୋଜନା ଗୁଡିକରେ ଦୁର୍ନୀତିର ତାଲିକା ଲମ୍ବା। ଆବାସ ‌ଯୋଜନା ଠାରୁ ନେଇ ସ୍ୱଚ୍ଛ ଭାରତ ଯୋଜନାରେ ଦୁର୍ନୀତି। ବିଗତ ବର୍ଷରେ ଆରଆଇ, ଅମିନ ନିଯୁକ୍ତି ମାମଲାରେ ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ର ଗିରଫ ହୋଇଥିଲେ। ପରେ ଦୁର୍ନୀତିର ଲମ୍ବା ତାଲିକା ଭିଜିଲାନ୍ସ ପାଖରେ ରହିଥିଲା। ଚାଷୀଙ୍କୁ ଋଣ ଦେବା କ୍ଷେତ୍ରରେ ହେଉ କି ଗରିବଙ୍କୁ ପିଡିଏସ ଚାଉଳ ବଣ୍ଟନରେ ହେଉ, ସବୁଠି ଦୁର୍ନୀତି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନେକ ଦୁର୍ନୀତି ଅଭିଯୋଗ ତଦନ୍ତାଧୀନ ରହିଛି। ବହୁ ସରକାରୀ ଯୋଜନା ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ଠିକରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ପଛୁଆ ବଲାଙ୍ଗୀର ପାଇଁ ଦାୟୀ କିଏ? ଏ ସବୁର ପ୍ରଶ୍ନ ଏବେ ଜନସାଧାରଣରେ ଉଙ୍କି ମାରୁଛି। ନିକଟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଏସବୁ ପ୍ରସଙ୍ଗରେ ପ୍ରାର୍ଥୀମାନେ ଦୋଷ ଲଦାଲଦି ହୋଇଥିଲେ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଲମ୍ବା ପ୍ରତିଶ୍ରୁତି ବି ଦେଇଛନ୍ତି। ହେଲେ ସବୁର କାର୍ଯ୍ୟକାରୀ ଆଗକୁ କେତେ ହେବ ତାହା ଦେଖିବାର ବାକି ରହିଲା।

ସମ୍ବନ୍ଧିତ ଖବର