ବଲାଙ୍ଗୀର: ଦୁର୍ବୃତ୍ତଙ୍କ ଗୁଳି ଚୋଟରେ ଆଖୁଚାଷୀ ଆହତ

ବଲାଙ୍ଗୀର: ମଙ୍ଗଳବାର ସନ୍ଧ୍ୟାରେ ତୁଷରା ଅନ୍ତର୍ଗତ ସମରା ଗାଁର ଜଣେ ଆଖୁ ଚାଷୀ ଦୁର୍ବୃତ୍ତମାନଙ୍କ ଗୁଳି ଚୋଟରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଆହତ ୬୦ ବର୍ଷିୟ ଆଖୁ ଚାଷୀ ମଙ୍ଗଳୁ ସେଠ ତାଙ୍କ ଆଖୁ ବିଲ ଜଗିଥିବା ସମୟରେ ଚାରି ଜଣ ବାଇକ୍‌ ଆରୋହୀ ଯୁବକ ଆଖୁ ଖାଇବାକୁ ସେଠାରେ ପହଞ୍ଚି ଥିଲେ। କିନ୍ତୁ, ଦେବାଦେବୀଙ୍କୁ ଅର୍ପଣ କରିବା ପୂର୍ବରୁ ଆଖୁ କେହି ଖାଇ ପାରିବେ ନାହିଁ ବୋଲି କହି ସେଠ ତାଙ୍କୁ ମନା କରିଥିଲେ। କ୍ରମେ ଯୁକ୍ତିତର୍କ ବିବାଦ ପାଲଟିଲା ଓ ସେ ଅପରିଚିତ ଯୁବକମାନେ ଗୋଟିଏ ପକ୍ଷୀମରା ବନ୍ଧୁକ ଯୋଗେ ସେଠଙ୍କ ଉପରକୁ ଗୁଳି ଚଳାଇଥିଲେ।

ସେଠଙ୍କ ଡାହାଣ ଜଙ୍ଘରେ ଗୁଳି ବାଜିଛି। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ବଡ଼ ଡାକ୍ତରଖାନା ପଠାଇ ଦିଆ ଯାଇଛି।

ଘଟନା ସଂକ୍ରାନ୍ତରେ ପୁଲିସକୁ ଖବର ଦିଆଯାଇଛି।

ସମ୍ବନ୍ଧିତ ଖବର