୧୨ ବର୍ଷ ଧରି ନିର୍ଯାତନାର ଶିକାର ବୋହୂ:ଅଭିଯୁକ୍ତଙ୍କ ପତ୍ତା ପାଉନି ପୁଲିସ

ବଲାଙ୍ଗୀର: ବାର ବର୍ଷ ଧରି ନିର୍ଯାତନାର ଶିକାର ହୋଇ ଆସୁଥିବା ତୁଷରାର ଶିଳ୍ପପତି ପରିବାରର ବୋହୂ ସ୍ୱପ୍ନା କେଡ଼ିଆ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ବିନୋଦ କେଡ଼ିଆ, ଦେଡ଼ଶୁର ନିରଞ୍ଜନ କେଡ଼ିଆ, ଦିଅର ବିକାଶ କେଡ଼ିଆ ଓ ଆଶିଷ କେଡ଼ିଆ ତଥା ଶାଶୂ କମଳି ଦେବୀ ଫେରାର ଅଛନ୍ତି। ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ଜେ.ଜେ ସା ପ୍ରକାଶ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମୋହନଗିରିର ମହେନ୍ଦ୍ର ଅଗ୍ରଓ୍ଵାଲଙ୍କ ଝିଅ ସ୍ୱପ୍ନା ୧୨ ବର୍ଷ ତଳେ ତୁଷରାର ପ୍ରତିଷ୍ଠିତ ବ୍ୟବସାୟୀ ପରିବାରର ମଝିଆ ପୁଅ ବିନୋଦ କେଡ଼ିଆଙ୍କୁ ବିବାହ କରିଥିଲେ। ବିବାହର ତିନି ବର୍ଷ ପରେ ସ୍ୱପ୍ନାଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଆରମ୍ଭ ହୋଇଥିଲା। ସବୁ ଠିକ ହୋଇଯିବ ଭାବି ପ୍ରଥମେ ସବୁ ସହି ଯାଉଥିଲେ। ଦୁଇଟି ଝିଅଙ୍କ ଜନ୍ମ ପରେ ବି କୌଣସି ସୁଧାର ହେଲା ନାହିଁ। ବାରମ୍ବାର ନିର୍ଯାତନାର ଶିକାର ହେବା ପରେ ବାପଘର ଲୋକଙ୍କୁ ଜଣାଇଥିଲେ। ଏକାଧିକ ଥର ଉଭୟ ପରିବାର ମିଶି ଆପୋଷ ସମାଧାନ କରିଥିଲେ। ପରିବାରର କଥା ପରିବାର ମଧ୍ୟରେ ସୀମିତ ରହୁଥିଲା। ତେବେ ବର୍ତ୍ତମାନର ନର୍ଯାତନା ଅସହ୍ୟ ହେବାରୁ ମାମଲା ଥାନାରେ ପହଞ୍ଚିଛି।

ସ୍ୱପ୍ନାଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀ ଅନୁପସ୍ଥିତ ଥିବା ବେଳେ ଦେଡ଼ଶୁର ନିରଞ୍ଜନ ରାତି ୧୦ଟାରେ ଡଙ୍ଗାପଥରରେ ଥିବା ମିଲକୁ ଯାଇ ଅନ୍ୟ ଜଣେ ରାଇସ ମିଲ ମାଲିକ ଗୌରୀ କେଡ଼ିଆଙ୍କୁ ଫୋନରେ ଡାକିଥିଲେ। ଉଭୟେ ମଦ୍ୟପାନ କରିବା ପରେ ନିରଞ୍ଜନ ସ୍ୱପ୍ନାଙ୍କ ଚରିତ୍ର ସଂହାର କରି ଗାଳି ଗୁଲଜ କରିବା ସହ ଗୌରୀଙ୍କୁ ବାଡ଼େଇଥିଲେ। ରାତି ପ୍ରାୟ ୩ଟାରେ ସ୍ୱାମୀ ବିନୋଦ ରାୟପୁରରୁ ଫେରିବା ପରେ ନିରଞ୍ଜନ ସ୍ୱପ୍ନା ଓ ଗୌରୀଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା କହିଥିଲେ। ଫଳରେ ରାଗିଯାଇ ବିନୋଦ ସ୍ୱପ୍ନାଙ୍କୁ ମାଡ଼ ମାରିଥିଲେ। ଖବର ପାଇ ବାପଘର ଲୋକେ ଆସି ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଶେଷରେ ସ୍ୱପ୍ନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତୁଷରା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର