‘ଉମରାହ’ ଯାତ୍ରା ପାଇଁ ବାହାରିଥିବା ଠିକାଦାରଙ୍କୁ ଠକେଇ:୮ ଲକ୍ଷ ଟଙ୍କା ନେଇ ଧରା ଦେଲେନି

ବଲାଙ୍ଗୀର: ବଲାଙ୍ଗୀର ହାଟପଦାପଡ଼ାର ଜଣେ ଠିକାଦାର ପରିବାର ସହ ସାଉଦି ଆରବ ଯିବା ପାଇଁ ଟିକେଟ ବାବଦ ଖର୍ଚ୍ଚ ୮ଲକ୍ଷ ଟଙ୍କା ଦେଇଥିବା ବେଳେ ଠକେଇର ଶିକାର ହୋଇଛନ୍ତି। ଠକେଇର ଶିକାର ଠିକାଦାର ସ୍ଥାନୀୟ ଟାଉନ୍‌ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗଟି ଏହିପରି: ବଲାଙ୍ଗୀର ହାଟପଦା ପଡ଼ାରେ ରହନ୍ତି ଠିକାଦାର ହାଜି ମହମ୍ମଦ ସକିଲ। ‘ଉମରାହ’ ଯାତ୍ରା ପାଇଁ ପରିବାର ସହ ସେ ସାଉଦି ଆରବ ଯିବା ପାଇଁ ସ୍ଥିର କରିଥିଲେ। ଏହି ଯାତ୍ରା ବାବଦରେ ଟିକେଟ, ରହିବା ସୁବିଧା କରିବା ପାଇଁ ତାଙ୍କ ଦୂର ସଂପର୍କୀୟ ଛତିଶଗଡ ମହାସୁମନ୍ଦ ଜିଲ୍ଲା ବସନାର ୟାସିଫ ଧନାନୀ ସହାୟତା କରିବେ କହିଥିଲେ। ଖର୍ଚ୍ଚ ବାବଦକୁ ୮ଲକ୍ଷ ଟଙ୍କା ପଡିବ ଓ ମୁମ୍ବାଇର ମାଲାଡ଼ରେ ଥିବା ଗୋଲ୍‌ଡେନ୍‌ ଟୁର ଏଣ୍ଡ ଟ୍ରାଭେଲ୍‌ର ସେ ଏଜେଣ୍ଟ କାମ କରୁଥିବା ସୂଚନା ଦେଇଥିଲେ। ଏକାଥରକେ ଏତେ ଟଙ୍କା ଦେଇପାରିବେ ନାହିଁ କହିଥିଲେ ସକିଲ।

ତେଣୁ ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କରୁ ସେ ଟ୍ରାଭେଲ୍ସ ସଂସ୍ଥାର ଆକାଉଣ୍ଟରେ ୩ଲକ୍ଷ ୬୦ ହଜାର ଟଙ୍କା ଜମା କରିଥିଲେ। ଏହାପରେ ବିଭିନ୍ନ କିସ୍ତିରେ ଟଙ୍କା ଜମା ଦେବା ସହ ଧନାନୀଙ୍କ ହାତରେ ବି ଟଙ୍କା ଦେଇଥିଲେ। ଗତ ଏପ୍ରିଲ ମାସରେ ସେମାନେ ସାଉଦି ଆରବ ଯିବାର ଥିଲା। ଟ୍ରାଭେଲ୍ସ ସଂସ୍ଥା ଧରାଛୁଆଁ ନଦେବାରୁ ଅନ୍ୟ ଏକ ସଂସ୍ଥାରେ ଟିକେଟ କରାଇ ସେମାନେ ଯାଇଥିଲେ। ନାଗପୁର ବିମାନବନ୍ଦରରେ ଧନାନୀଙ୍କ ସହ ଭେଟ ହୋଇଥିଲା। ୮ଲକ୍ଷ ଟଙ୍କା ଠକେଇ ସଂପର୍କରେ ସକିଲ ଧନାନୀଙ୍କୁ କହିବା ପରେ ସେମାନେ ମୁମ୍ବାଇ ଫେରି ଟଙ୍କା ଫେରସ୍ତ ମାଗିବେ ବୋଲି କହିଥିଲେ। ଗତ ମେ ୨ ତାରିଖରେ ମୁମ୍ବାଇ ପହଞ୍ଜିବା ପରେ ୩ ତାରିଖରେ ମୁମ୍ବାଇ ମାଲାଡରେ ଥିବା ଗୋଲଡେନ୍‌ ଟୁର୍‌ ଏଣ୍ଡ ଟ୍ରାଭେଲ୍‌ ସଂସ୍ଥା ଅଫିସକୁ ଯାଇ ଟଙ୍କା ଫେରସ୍ତ ମାଗିଥିଲେ। କିନ୍ତୁ ଏହି ସଂସ୍ଥା ମାଲିକ କିଛି ଜାଣି ନଥିବା କହିବା ସହ ସକିଲ ଓ ଅନ୍ୟମାନଙ୍କୁ ଗାଳିଗୁଲଜ କରି ତଡି ଦେଇଥିଲେ। ଜୁନ୍‌ ମାସରେ ସକିଲ, ତାଙ୍କ ବାପା ବସନାରେ ରହୁଥିବା ଧନାନୀଙ୍କ ଘରକୁ ଟଙ୍କା ମାଗିବା ପାଇଁ ଯାଇଥିବା ବେଳେ ସେଠାରେ ଧନାନୀ ଟଙ୍କା ଦେବେ ନାହିଁ ବୋଲି ରୋକଠୋକ ଶୁଣାଇବା ସହ ସେମାନଙ୍କୁ ଧମକ ଚମକ ଦେଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସକିଲ ଓ ଅନ୍ୟମାନେ ଫେରିବା ପରେ ତାଙ୍କୁ ଅଜଣା ନମ୍ବରରୁ ଫୋନ୍‌ କରି ଧନାନୀ ଧମକ ଦେଉଥିବା ସ୍ଥାନୀୟ ଟାଉନ୍‌ ଥାନାରେ ଠିକାଦାର ସକିଲ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ପୂର୍ବରୁ ବଲାଙ୍ଗୀରରେ ମଧ୍ୟ ଅନୁରୂପ ଏକ ଟ୍ରାଭେଲ୍ସ ସଂସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକଙ୍କୁ ଦେଶ ବାହାରେ ବୁଲାଇବା ନାଁରେ ଲକ୍ଷାଧିକ ଟଙ୍କା ହଡପ କରିଥିଲା। ଏହାର ମାଲିକଙ୍କୁ ଭୁବନେଶ୍ୱରରେ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର