ବର ପହଞ୍ଚିବା ପୂର୍ବରୁ ଅଟକିଗଲା ନାବାଳିକା ବିବାହ!

ଶିଶୁ ସୁରକ୍ଷା ୟୁନିଟ ଓ ପୁଲିସର ହସ୍ତକ୍ଷେପ, ଚାପା ଉତ୍ତେଜନା

ବଲାଙ୍ଗୀର: ୧୮ ବର୍ଷ ପୂରିନି। ବିବାହ ବୟସ ହୋଇନି। କିନ୍ତୁ ବାପା-ମା’ଙ୍କ ଜିଦ୍‌ ଝିଅ ବାହା କରିବେ। ତେଣୁ ବର ଖୋଜା ସରି କାର୍ଡ ବାଣ୍ଟି ଦେଇଥିଲେ ବନ୍ଧୁବର୍ଗଙ୍କୁ। ଗୁରୁବାର ରାତିରେ ଥିଲା ବାହାଘର। କିନ୍ତୁ ଶିଶୁ ସୁରକ୍ଷା ଅଭିଯାନ, ପୁଲିସ ଓ ବଲାଙ୍ଗୀର ସମନ୍ଵିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରୁ ସମୟ ଉପଯୋଗୀ ହସ୍ତକ୍ଷେପ ଯୋଗୁଁ ଝିଅ ବାହାଘର ଅଟକି ଯାଇଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବଲାଙ୍ଗୀର ସଦର ବ୍ଲକ ମାୟାବର୍ହା ପଞ୍ଚାୟତର ଉଚବାହାଲ ଗାଁରେ।
ଉଚବାହାଲ ଗାଁର ଜଣେ ବ୍ୟକ୍ତି ତାଙ୍କ ୧୬ ବର୍ଷୀୟା ଝିଅକୁ ବିବାହ କରାଇବା ପାଇଁ ଯୋଜନା କରିଥିଲେ। ବିବାହ ପାଇଁ ସବୁ ଆୟୋଜନ ଶେଷ କରିଥିଲେ। ଗୁରୁବାର ରାତିରେ ଭୁଣ୍ଡିମୁହାଣ ପଞ୍ଚାୟତର କଖାଲ ଗାଁର ବ୍ରଜ ବାଗ ବରପକ୍ଷ ଧରି ଉଚବାହାଲ ଗାଁରେ ପହଞ୍ଚିଥାନ୍ତେ। କିନ୍ତୁ ବରପକ୍ଷ ପହଞ୍ଚିବା ପକ୍ଷରୁ ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗୀରର ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର, ଚାଇଲ୍ଡ ଲାଇନ୍‌ର ରାଜଶ୍ରୀ ଜେନା, ସିଡବ୍ଲ୍ୟୁସିର ସଦସ୍ୟ ସୁନୀତା ତ୍ରିପାଠୀ, ବଲାଙ୍ଗୀର ସଦର ଥାନାର ଏସ୍‌ଆଇ ତପସ୍ୱିନୀ ସେଠ ସଦଳବଳ ଉଚବାହାଲରେ ପହଞ୍ଚି କନ୍ୟା ଘରକୁ ଯାଇଥିଲେ। ଝିଅର ବୟସ ହୋଇ ନାହିଁ, ତେଣୁ ତାକୁ ବିବାହ କରାଇ ପାରିବ ନାହିଁ ବୋଲି ବୁଝାଇଥିଲେ। ସୂଚନା ଅନୁସାରେ, ବଧୁ ବେଶରେ ସଜେଇ ହୋଇଥିବା କନ୍ୟା ଜଣଙ୍କୁ ନେଇ ଅଧିକାରୀମାନେ ଗାଡିରେ ବସାଇବାକୁ ଚେଷ୍ଟା କରୁଥିବା ବେଳେ କନ୍ୟା ପକ୍ଷରୁ ବିରୋଧ ହୋଇଥିଲା। ସେମାନେ ନାବାଳିକା କନ୍ୟାକୁ ଅଧିକାରୀମାନଙ୍କଠାରୁ ନେଇଯାଇଥିଲେ। ଏହାପରେ କନ୍ୟା ପିତା ଓ ଅନ୍ୟମାନଙ୍କୁ ଉପସ୍ଥିତ ଅଧିକାରୀମାନେ ବୁଝାସୁଝା କରୁଛନ୍ତି। ଖବର ଲେଖା ହେବା ବେଳକୁ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି। ପୁଲିସ ଓ ନାବାଳିକା କନ୍ୟାକୁ ଉଦ୍ଧାର କରିବାକୁ ଯାଇଥିବା ଅଧିକାରୀମାନଙ୍କ ସହ କନ୍ୟା ପକ୍ଷ ଲୋକେ ଆଲୋଚନା ଚଳାଇଛନ୍ତି।

ସମ୍ବନ୍ଧିତ ଖବର