ବଲାଙ୍ଗୀର: କୀଟନାଶକ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳରେ ଶୁକ୍ରବାର ଏକ ଦମ୍ପତ୍ତି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦମ୍ପତ୍ତିକୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଧାନ ଫସଲ ନଷ୍ଟ ହେବାରୁ ସେମାନେ କୀଟନାଶକ ପିଇବାକୁ ନିଷ୍ପତ୍ତି ନେଇଥିଲେ। ଚାଷୀ ଦମ୍ପତ୍ତି ଲୋକଙ୍କ ଠାରୁ ଟଙ୍କା ଉଧାର ଆଣି ଚାଷ କରିଥିଲେ। ଫସଲ ନଷ୍ଟ ହେବା ପରେ ଲୋକଙ୍କ ଠାରୁ ଆଣିଥିବା ଋଣ କେମିତି ପରିଷୋଧ କରିବେ ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ।

ରିପୋର୍ଟ ଅନୁସାରେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କତରକେଲା ଗାଁର ଟିକେରାମ ମହାନନ୍ଦ ହେଉଛନ୍ତି ଜଣେ କ୍ଷୁଦ୍ର ଚାଷୀ। ସେ ଚଳିତ ବର୍ଷ ଲୋକଙ୍କ ଠାରୁ ଋଣ ଆଣି ଚାଷ କରିଥିଲେ। ଗୁରୁବାର ଭଳି ଆଜି ମଧ୍ୟ ଟିକେରାମ ସ୍ତ୍ରୀ ଟେଭାଙ୍କ ସହିତ ବିଲକୁ ଧାନ କାଟିବାକୁ ଯାଇଥିଲେ। ଚକଡ଼ା ପୋକ ପ୍ରଭାବରେ ଫସଲ ନଷ୍ଟ ହୋଇଥିବାରୁ ସେ ଭାଙ୍ଗି ପଡ଼ିଥିଲେ। ମାନସିକ ସ୍ଥିତି ହରାଇ ଦମ୍ପତ୍ତି କୀଟନାଶକ ପିଇ ଦେଇଥିଲେ।

ଟିକେରାମଙ୍କ ୩ ଜଣ ପୁଅ-ଝିଅ ଅଛନ୍ତି। ବଡ଼ ଝିଅର ବାହାଘର ସରିଥିବା ବେଳେ ଘରେ ଏକ ଦିବ୍ୟାଙ୍ଗ ସନ୍ତାନ ଅଛି। ଟିକେରାମ ଋଣ ବୋଝରେ ଦିନ କାଟୁଥିବା ବେଳେ ଆର୍ଥିକ ବର୍ଷ ୨୦୧୭-୧୮ ଫସଲ ବୀମା ରାଶି ପାଇ ନାହାନ୍ତି।

ସମ୍ବନ୍ଧିତ ଖବର