ଦିନରେ ଗୋରୁ ଗୋଠ, ରାତିରେ ଜମୁଛି ମଦୁଆଙ୍କ ଆଡ୍ଡା

ଦେଓଗାଁ ଡାକ ବଙ୍ଗଳାର ପାଚେରି ଅଧପନ୍ତରିଆ

ଦେଓଗାଁ: ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଦେଓଗାଁ ଡାକ ବଙ୍ଗଳାର ନିର୍ମାଣ କାମ ଶେଷ ହୋଇଛି। ଅତି ଆଧୁନିକ ଏହି କୋଠାରେ ପାଇଖାନା, ଜଳ ଯୋଗାଣ ବ୍ୟବସ୍ଥା ରହିଛି। ବଙ୍ଗଳାଟି ବରଗଡ଼- ବୋରିଗୁମ୍ମା ଜାତୀୟ ରାଜପଥ ୨୬ କଡ଼ରେ ଥିବାରୁ ଚାହିଦା ବଢ଼ିବାର ନିଶ୍ଚିତ ସମ୍ଭାବନା ଅଛି। ଏହି ବଙ୍ଗଳାକୁ ସୁରକ୍ଷିତ ରଖିବା ଓ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଉନ୍ନତ ମାନର ପାଚେରି ମଧ୍ୟ ନିର୍ମାଣ ଆରମ୍ଭ ହୋଇଛି। କିନ୍ତୁ ୬୦ ଭାଗ ନିର୍ମାଣ ହୋଇ ନ ଥିବାରୁ ବଙ୍ଗଳାର ବ୍ୟବହାରକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବଙ୍ଗଳା ନିର୍ମାଣ ଓ ପାଚେରି କାମ ଅଧପନ୍ତରିଆ ବିଷୟରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ବଙ୍ଗଳା ନିର୍ମାଣ କାମ ଶେଷ ହୋଇ ହସ୍ତାନ୍ତର କରାଯାଇଥିବା କହିଥିବା ବେଳେ ଉନ୍ନୟନ ପାଣ୍ଠିରୁ ପାଚେରି କାମ କରାଯାଉଛି। ପର୍ଯ୍ୟାୟକ୍ରମ‌େ ଦୁଇଟି ପର୍ଯ୍ୟ‌ାୟରେ ଦୁଇ ଜଣ ଠିକାଦାରଙ୍କୁ ପାଚେରି ନିର୍ମାଣ ପାଇଁ ନିର୍ଦେଶ ଦିଆଯାଇ ଶେଷ ହୋଇଛି। ତୃତୀୟ ଓ ଅନ୍ତିମ ପର୍ଯ୍ୟାୟ ଖୁବ ଶୀଘ୍ର ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପାଚେରି ନ ଥିବାରୁ ନିକଟସ୍ଥ ସାରସବ‌ାହାଲ ମଦ ଭାଟିରୁ ଅସାମାଜିକ ଲୋକମାନେ ପାଉଚ ମଦ ଆଣି ବଙ୍ଗଳା ପରିସରରେ ଆସର ଜମାଉଛନ୍ତି। ରାସ୍ତାରେ ଯାଉଥିବା ବରିଷ୍ଠ ଅଧିକାରୀ କିମ୍ବା ଭିଆଇପିଙ୍କ ପାଇଁ ବଙ୍ଗଳା ନିର୍ମାଣ କରାଯାଇଥିବା ବେଳେ ପାଚେରି ଅଭାବରୁ ବଙ୍ଗଳାଟି କାମରେ ଆସୁ ନାହିଁ। ତେଣୁ ତୁରନ୍ତ ଏହାର ନିର୍ମାଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର