ଇନ୍ଦିପୁର ଗାଁରୁ ବାସନ୍ଦ ପରିବାର ଆମରଣ ଅନଶନରେ

ବଲାଙ୍ଗୀର: ନ୍ୟାୟ ପାଇଁ ସାମାଜିକ ବାସନ୍ଦ ଓ ବିତାଡିତ ପରିବାରର ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି। ତାହା ପୁଣି ଜଣେ କି ଦୁଇ ଜଣ ନୁହେଁ , ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଇନ୍ଦପୁର ଗାଁର ବେହେରା ପରିବାରର ମହିଳା, ଶିଶୁ ଓ ପୁରୁଷ ମିଶି ପ୍ରାୟ ୪୦ ଜଣ ବଲାଙ୍ଗୀର ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ବର୍ଷେ ତଳେ ଗାଁ ମୁଖିଆଙ୍କ ନିର୍ଦ୍ଦେଶରେ ଏମାନଙ୍କୁ ସାମାଜିକ ବାସନ୍ଦ ତଥା ଗାଁରୁ ବିତାଡିତ କରାଯାଇଥିବା ନେଇ ଅନଶନକାରୀ ଅଭିଯୋଗ କରିଛନ୍ତି ।
ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଇନ୍ଦିପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା। ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଇନ୍ଦପୁର ଗାଁ ଲରମ୍ଭା ପଞ୍ଚାୟତ ଅଧୀନରେ ରହିଛି। ତେବେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ଯୋଗୁଁ ଇନ୍ଦପୁର ଗାଁଟି ନୂତନ ଭାବେ ଗଠିତ ଖୁର୍ସେଲ ପଞ୍ଚାୟତ ସହ ମିଶିଥିଲା।

ପଞ୍ଚାୟତ ପୁନର୍ଗଠନକୁ ଇନ୍ଦପୁର ଗ୍ରାମବାସୀ ବିରୋଧ କରୁଥିବା ବେଳେ ବଳରାମ ବେହେରାଙ୍କ ସହ ୧୧ଟି ପରିବାର ପଞ୍ଚାୟତ ପୁନର୍ଗଠନକୁ ସମର୍ଥନ କରିଥିଲେ। ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀଙ୍କ ସମର୍ଥିତ ଦୁଇ ଦୁଇ ଜଣ ପ୍ରାର୍ଥୀଙ୍କ ପରାଜୟ ପରେ ଗାଁ ଲୋକେ ଏହି ୧୧ଟି ପରିବାରକୁ ଦାୟୀ କରି ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ବଳରାମ ବେହେରା ନାମକ ଜଣେ ନିର୍ଯାତୀତ ବ୍ୟକ୍ତିଙ୍କ ଚାଷ ଜମିରେ କୀଟନାଶକ ଦେଇ ଫସଲ ନଷ୍ଟ କରିଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏପରିକି ଏହି ପରିବାରଗୁଡିକୁ ଗାଁରେ ସାମାଜିକ ବାସନ୍ଦ କରାଯିବା ସହ ଗାଁରୁ ଚାଲିଯିବାକୁ ଧମକ ଦିଆଯିବାରୁ ଗତ ବର୍ଷେ ହେଲା ଏହି ପରିବାର ଗାଁ ଛାଡି ବାହାରେ ଆଶ୍ରୟ ନେଇଛନ୍ତି । ତେବେ ନ୍ୟାୟ ପାଇଁ ଲରମ୍ଭା ଥାନାରୁ ଆରମ୍ଭ କରି ପାଟଣାଗଡ ଏସଡିପିଓ, ଉପ ଜିଲ୍ଲାପାଳଙ୍କ ସହ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତଥାପି ନ୍ୟାୟ ନମିଳିବାରୁ ଶେଷରେ ଆଜି ସ୍ତ୍ରୀ ପିଲା ଛୁଆଙ୍କ ସହ ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ଆଗରେ ଅନଶନରେ ବସିଛନ୍ତି ପୀଡ଼ିତ ପରିବାର। ସେମାନଙ୍କୁ ଟାଉନ୍‌ ଥାନା ପୁଲିସ ପକ୍ଷରୁ ବୁଝାସୁଝା କରିବାକୁ ଉଦ୍ୟମ କରାଯାଇଥିଲେ ବି ସମ୍ଭବ ହୋଇ ନାହିଁ।

ସମ୍ବନ୍ଧିତ ଖବର