ଅବ୍ୟବସ୍ଥା ଘେରରେ ଦେଓଗାଁ ସିଏଚ୍‌ସି : ପରିସ୍ରାଗାର ନଥିବାରୁ ମହିଳା ରୋଗୀ ହଟହଟା

ଦେଓଗାଁ: ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଥିଲେ ମଧ୍ୟ ଅସହଯୋଗ ଯୋଗୁଁ ଲକ୍ଷ୍ୟ ପୂରଣ ହେଉ ନାହିଁ ବୋଲି କହିଛନ୍ତି ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର। ସିଏଚସି ମାନ୍ୟତା ପାଇଥିଲେ ମଧ୍ୟ ୧୬ ଶଯ୍ୟା ବଦଳରେ ଅଛି ୪ ଶଯ୍ୟା। ଡାକ୍ତର ଅଭାବ। ଦାୟିତ୍ୱରେ ଅଛନ୍ତି ରାମଚନ୍ଦ୍ରପୁର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ। ରୋଗୀକୁ ନେଇ ଆସିଥିବା ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପରିସ୍ରା ପରୀକ୍ଷା ପାଇଁ ଲାବୋରୋଟାରି ଥିଲେ ମଧ୍ୟ ପରିସ୍ରା ସଂଗ୍ରହ କରିବା ପାଇଁ ପରିସ୍ରାଗାର ନାହିଁ। ଏହି କ୍ଷେତ୍ରରେ ମହିଳା ରୋଗୀ ବିଶେଷ କରି ଗର୍ଭବତୀ ମହିଳାମାନଙ୍କ ଅସୁବିଧା କହିଲେ ନସରେ। ବିଭିନ୍ନ ସମୟରେ କେନ୍ଦ୍ରକୁ ଆସୁଥିବା ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ମହିଳା କର୍ମଚାରୀ ମଧ୍ୟ ଅଡ଼ୁଆରେ ପଡ଼ିଥାନ୍ତି।

ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ ନାମରେ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ ଆସୁଥିବା ବେଳେ ଉପରୋକ୍ତ ଅଭାବକୁ ପୂରଣ କରିବା ପାଇଁ ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହେଉଛି। ଡାକ୍ତରଖାନା ପରିସରରେ ଥିବା ଏକ ପାଇଖାନା ଅଧାପନ୍ତରିଆ ହୋଇଥିବାରୁ ଅବହେଳାର ସଠିକ ପ୍ରମାଣ ବୋଲି ଜଣାପଡ଼ିଛି। ସେହିପରି ଡାକ୍ତରଖାନାର ବର୍ଜ୍ୟବସ୍ତୁ ଯଥା କାଚ, ଛୁଞ୍ଚି, ବ୍ୟବହୃତ ବ୍ୟାଣ୍ଡେଜ ଓ ମୃତ ଘୋଷଣା ହୋଇଥିବା ଔଷଧ ନଷ୍ଟ କରିବା ପାଇଁ ଏକ ସିମେଣ୍ଟ ଟାଙ୍କି ନିର୍ମାଣ କରିବାକୁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଏନଆରଏଚଏମର କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା ହେତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରି ପାରୁ ନାହାନ୍ତି ବୋଲି ଡା. ମିଶ୍ର କ୍ଷୋଭର ସହ ପ୍ରକାଶ କରିଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଡାକ୍ତରଙ୍କ କୋଠରିରେ ପାଇଖାନା ନିର୍ମାଣ କରାଯାଇଥିଲେ ମଧ୍ୟ ବହୁ ଦିନ ହେଲା କାମ ଶେଷ ହୋଇ ନାହିଁ। ଏକ ସୁନ୍ଦର ଡାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ଯେତେ ଇଚ୍ଛା ଥିଲେ ମଧ୍ୟ ସହଯୋଗ ମିଳୁ ନଥିବା ଦର୍ଶାଯାଉଛି। ତେଣୁ ଡାକ୍ତରଖାନାରେ ଡାକ୍ତର ଯୋଗାଇ ଦେବା ସହ ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର