ଅନ୍ତଃଜିଲ୍ଲା ଡକାୟତ ଦଳର ୫ ଗିରଫ

ସିନ୍ଧେକେଲା/କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୁଲିସ ଏକ ଅନ୍ତଜିଲ୍ଲା ଡକାୟତ ଦଳକୁ ଧରିବାରେ ସକ୍ଷମ ହୋଇଛି। କିଛି ଦିନ ହେବ ସେମାନେ ସିନ୍ଧେକେଲା ଅଞ୍ଚଳରେ ଥିବା କିଛି ବ୍ୟାଣ୍ଡ ପାର୍ଟି ମାଲିକଙ୍କୁ ବିବାହ କାମ ଦେବ ବୋଲି କୌଶଳକ୍ରମେ ଲୁଟି ଚାଲିଥିଲେ। ରବିବାର ଟିଟିଲାଗଡ଼ ଏସ୍‌ଡିପିଓ ସରୋଜ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୁଶାନ୍ତ ନାୟକ କିଛି ଦିନ ତଳେ ବଙ୍ଗୋମୁଣ୍ଡାର ଏକ ବ୍ୟାଣ୍ଡପାର୍ଟି ମାଲିକଙ୍କୁ ଏକ ବିବାହରେ ବ୍ୟାଣ୍ଡ ନିୟୋଜିତ କରିବାକୁ କହି ଡାକିଥିଲା। ମାଲିକ ନିଜ ମ୍ୟୁଜିକ ସାମଗ୍ରୀ ଧରି ଆସିବା ବେଳେ ପୂର୍ବ ଯୋଜନା ଅନୁସାରେ ସୁଶାନ୍ତ ତା’ର ସହଯୋଗୀ ବ୍ୟାଣ୍ଡ ପାର୍ଟି ମାଲିକଙ୍କୁ ମାଡ଼ ମାରି ମ୍ୟୁଜିକ୍‌ ସାମଗ୍ରୀ ଲୁଟି ନେଇଥିଲେ।

ବ୍ୟାଣ୍ଡପାର୍ଟି ମାଲିକ ଦିଗାମ୍ବର ବାଗ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପୁଲିସ ସେମାନଙ୍କୁ ଧରିବାକୁ ଜାଲ ବିଛାଇ ଧରିବାକୁ ସକ୍ଷମ ହୋଇଥିଲା। ପୁଲିସ ଏହି ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା କଳହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କୋକୋମୁଣ୍ଡାର ସୁଶାନ୍ତ ନାୟକ (୨୯), ଜୁନାଗଡ଼ର ଥାନା ଅନ୍ତର୍ଗତ ବାଙ୍ଗରିଗୁଡ଼ାର ଅକ୍ଷୟ ମାଝୀ (୨୫) ଓ ଦିବ୍ୟାନନ୍ଦ ଛତ୍ରିଆ(୨୧), ସିଂହଝରଣର ରାଜୀବ ଗୌଡ଼(୨୪), କୁଲିଆରିର ମହେନ୍ଦ୍ର ବେହେରା (୨୧)ଙ୍କୁ ଶନିବାର ରାତି ଗିରଫ କରିଛି। ସୋମବାର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ।

ସେମାନେ ଏଠାରୁ ଚୋରି କରି ରାୟପୁରରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ। ପୁଲିସ ସେମାନଙ୍କ ସୂଚନା ଅଧାରରେ ରାୟପୁରରୁ ଚୋରି ସାମଗ୍ରୀ ଉଦ୍ଧାର କରିଛି। ପୁଲିସ ସେମାନଙ୍କଠାରୁ ୨ଟିି ବ୍ୟାଣ୍ଡ (ବାଦ୍ୟ ଯନ୍ତ୍ର), ୨ଟି ମୋଟର ସାଇକେଲ ଏବଂ ୬ଟି ମୋବାଇଲ, ଏକ ବ୍ୟାଗରେ ଥିବା ବ୍ୟାଣ୍ଡ ବାଜାବାଲାଙ୍କ ୟୁନିଫର୍ମ ଜବତ କରିଛି। ଏହି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଏହି ଧରଣର ଲୁଟ୍‌ କରୁଥିଲେ। କେସିଙ୍ଗା ଥାନାରେ ବି ସେମାନଙ୍କ ନାମରେ ମାମଲା ଥିବା ପୁଲିସ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସିନ୍ଧେକେଲା ଥାନା ଅଧିକାରୀ ରଂଜନ ବରିହା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର