ଶିଶୁ ୱାର୍ଡରେ ଏକ୍ସପାଏରି ସାଲାଇନ୍‌!

ବଲାଙ୍ଗୀର: ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାର ଏମ୍‌ସିଏଚ୍‌ (ମାତୃ ଓ ଶିଶୁ ଡାକ୍ତରଖାନା)ରେ ବୁଧବାର ରାତି ଜଣେ ଶିଶୁକୁ ସମୟ ଅବଧି ପାରି ହୋଇଥିବା (ଏକ୍ସପାଏରି) ସାଲାଇନ୍‌ ଚଢ଼ାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁର ଅଭିଭାବକ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ।
ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଗାନ୍ଧୀନଗରପଡ଼ାର ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ଶିଶୁପୁତ୍ର ଶ୍ରୀୟାଂଶ ସ୍ୱାଇଁଙ୍କୁ ଜ୍ୱର ହେଉଥିଲା। ଡାକ୍ତର ଦେଖାଇବା ପରେ ବି କିଛି ନହେବାରୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାର ଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ରାତିରେ ଶ୍ରୀୟାଂଶଙ୍କ ବାପା ଛୁଆକୁ ଚଢ଼ାଯାଇଥିବା ସାଲାଇନ୍‌ ଉପରେ ନଜର ପକାଇଥିଲେ। ଏହି ସାଲାଇନ୍‌ର ପ୍ରସ୍ତୁତି ଡିସେମ୍ବର ୨୦୧୪ ଥିବା ବେଳେ ଏକ୍ସପାଏରି ୨୦୧୭ ଡିସେମ୍ବର ରହିଛି। କିନ୍ତୁ ୨୦୧୮ ହୋଇ ଯାଇଥିବା ବେଳେ ଏଭଳି ସମୟ ଅବଧି ସରିଯାଇଥିବା ସାଲାଇନ୍‌ କେମିତି ଦିଆଗଲା ବୋଲି ପ୍ରଶ୍ନ କରିଥିଲେ। କେବଳ ଶ୍ରୀ ସ୍ୱାଇଁ ନୁହଁ, ନିକଟରେ ଥିବା ଅନ୍ୟ ଶିଶୁ ରୋଗୀମାନଙ୍କୁ ମଧ୍ୟ ଏଭଳି ସାଲାଇନ୍‌ ଦିଆଯାଇଥିଲା। କାର୍ଯ୍ୟରେ ଥିବା ନର୍ସ ଓ ଡାକ୍ତରଙ୍କୁ ଜଣାଇଥିବା ବେଳେ ସେମାନେ ଏନେଇ କିଛି ସ୍ପଷ୍ଟ କରି ନଥିଲେ। ଓଲଟି ଦାୟିତ୍ୱରେ ଥିବା ଡାକ୍ତର କହିଥିଲେ ଯେ କିଛି ହେବ ନାହିଁ। ଏହା କୌଣସି କ୍ଷତି କରିବ ନାହିଁ। ତେବେ ପ୍ରଶ୍ନ ଉଠୁଛି ଯେ, ଅବଧି ସରିଯାଇଥିବା ସାଲାଇନ୍‌ କେମିତି ଦେଲେ ନର୍ସ? କିଏ କେମିତି ଏନେଇ ଯାଞ୍ଚ କଲେ ନାହିଁ କି ଦେଖିଲେ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟିଦେବେ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର