ବିସ୍ଫୋରକ ବୋଝେଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ବିପୁଳ ଜିଲୋଟିନ୍‌ ଷ୍ଟିକ୍‌ ଉଦ୍ଧାର

ବଲାଙ୍ଗୀର: ମଙ୍ଗଳବାର ରାତି ପ୍ରାୟ ୩ଟାରେ ବିସ୍ଫୋରକ ବୋଝେଇ ଦୁଇଟି ଭ୍ୟାନ୍‌ ତୁଷୁରା ଥାନା ଦେଓଗାଁ ଫାଣ୍ଡି ଅନ୍ତର୍ଗତ ରତନପୁର ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା। ମାମଲା ଦେଓଗାଁ ଫାଣ୍ଡିରେ ପହଞ୍ଚିଥିବା ବେଳେ ତୁଷୁରା ପୁଲିସ ଘଟଣାର ଯାଞ୍ଚ କରୁଛି।
ଢେଙ୍କାନାଳରୁ ଓଆର୍‌ ୦୬ଜି ୦୨୪୦ ଓ ଓଆର୍‌ ୦୬ଏଫ୍‌ ୦୭୪୪ ନମ୍ବର ପିକ୍‌ଅପ୍‌ ଭ୍ୟାନ୍‌ରେ ବିସ୍ଫୋରକ ବୋଝେଇ କରି ଟିଟିଲାଗଡ଼ ଆଡ଼କୁ ଯାଉଥିଲା। ରତନପୁର ଢାବା ନିକଟରେ ଠିଆ ହୋଇଥିବା ତଥା ଝାରସୁଗୁଡ଼ାରୁ ବିଶାଖାପାଟଣା ଯାଉଥିବା ଟିଏନ୍‌ ୮୮ଏ ୩୧୩୪ ଲରିକୁ ଧକ୍କା ଦେଇଥିଲା। ଦୁଇଟି ବିସ୍ଫୋରକ ବୋଝେଇ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଗାଡ଼ିରେ ବିପୁଳ ପରିମାଣର ଜିଲୋଟିନ୍‌ ଷ୍ଟିକ୍‌ ଓ ଅନ୍ୟ ବିସ୍ଫୋରକ ରହିଥିଲା। ବଲାଙ୍ଗୀର ପୁଲିସରେ ଥିବା ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚିବା ସହ ବିସ୍ଫୋରକଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଦୁର୍ଘଟଣାଗସ୍ତ ଗାଡ଼ି ତିନିଟିକୁ ଦେଓଗାଁ ଫାଣ୍ଡିରେ ରଖାଯାଇଛି। ତୁଷୁରା ଥାନା ଅଧିକାରୀ ପଞ୍ଚାନନ ନାଏକ ଓ ଅନ୍ୟ ପୁଲିସ ଅଧିକାରୀମାନେ ବିସ୍ଫୋରକର ବୈଧତା ନେଇ ଯାଞ୍ଚ ଚାଲିଛି। କୌଣସି ମାମଲା ରୁଜୁ ହୋଇ ନାହିଁ। ପଚରା ଉଚୁରା ଚାଲିଥିବା କହିଛନ୍ତି ଆଇଆଇସି ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର