ବେଆଇନ ବିସ୍ଫୋରକ ମାମଲା:କହୁଛନ୍ତି କମ୍‌, ଲୁଚାଉଛନ୍ତି ବେଶି

ମୁରାରୀ- ମହେଶ ସହ ସୁଦାମଙ୍କୁ ପୁଲିସର ମାରାଥନ ଜେରା

ବଲାଙ୍ଗୀର: ବେଆଇନ ବିସ୍ଫୋରକ ଗଚ୍ଛିତ ରଖିବା ମାମଲାରେ ବଲାଙ୍ଗୀର ସହର ଉପକଣ୍ଠ ସଦାଇପାଲି ଗାଁର ସୁଦାମ ମହାଲିଙ୍ଗଙ୍କୁ ଗିରଫ କରିଥିଲା ସଦର ପୁଲିସ। ଏହି ମାମଲା ଛାନଭିନ କଲା ବେଳେ ପୁଲିସ ଜାଲରେ ଛନ୍ଦି ହୋଇଥିଲେ ନିଲମ୍ବିତ ବିଜେପି ନେତା ମୁରାରୀ ଲାଲ ଅଗ୍ରୱାଲ ଓ ପୁଅ ମହେଶ ଅଗ୍ରୱାଲ। ସଦର ଓ ବେଲପଡ଼ା ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ସୁଦାମ, ମୁରାରୀ ଓ ମହେଶଙ୍କୁ କୋର୍ଟ ଚାଲାଣ କରିଥିଲା। ଅଧିକ ପଚରା ଉଚୁରା ପାଇଁ ତିନିଜଣଙ୍କୁ ସୋମବାର ବଲାଙ୍ଗୀର ପୁଲିସ ରିମାଣ୍ଡରେ ଆଣିଛି। ସୋମବାର ଓ ମଙ୍ଗଳବାର ଜେରା କରିବା ପରେ ବୁଧୁବାର ସେମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।
୨୦୧୧ ମସିହାରୁ ବିସ୍ଫୋରକ ଲାଇସେନ୍ସ ଅବଧି ଶେଷ ହୋଇଯାଇଥିଲା। କିନ୍ତୁ ବେଧଡ଼କ ଚଳାଇଥିଲେ କାରବାର। ସଦର ପୁଲିସ ପକ୍ଷରୁ ଏହି ବେଆଇନ ବିସ୍ଫୋରକ କାରବାର ମାମଲାର ଧରପଗଡ଼ ହେବା ପରେ ବହୁ ବିସ୍ଫୋରକ ଜବତ କରାଯାଇଥିଲା। ବମ୍‌ ସ୍କ୍ଵାଡ ସହାୟତାରେ ଜବତ ବିସ୍ଫୋରକଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଥିଲା। ତେବେ ଗିରଫ ସୁଦାମଙ୍କୁ ସଦର ପୁଲିସ ଜେରା କଲା ବେଳେ କଣ୍ଟାବାଞ୍ଜିର ବିସ୍ଫୋରକ ବ୍ୟବସାୟୀ ତଥା ବିଜେପି ନେତା ମୁରାରୀ ଅଗ୍ରୱାଲ ଓ ତାଙ୍କ ପୁଅ ମହେଶ ଅଗ୍ରୱାଲଙ୍କ ନାଁ ସାମ୍ନାକୁ ଆସିଥିଲା। ପରଦିନ ସଦର ପୁଲିସ ମହେଶଙ୍କୁ ଗିରଫ କରିଥିଲେ। ତେବେ ବେଲପଡ଼ା ପୁଲିସ ମୁରାରୀଙ୍କ ବିସ୍ଫୋରକ ଗୋଦାମରେ ଚଢ଼ଉ ବେଳେ କାଗଜପତ୍ର ଅନୁସାରେ ସବୁ କିଛି ଠିକ୍‌ ଥିବା ଦେଖିଥିଲେ।

ପୁଲିସ ବି ବୁଝିଯାଇଥିଲା ସବୁ ଠିକ୍‌ ରହିଛି ବୋଲି। କିନ୍ତୁ ଗୋଦାମରୁ ମୁହଁ ବୁଲାଇ ଫେରୁଥିବା ବେଳେ ପୁଲିସ ଆଖିରେ ପଡ଼ିଥିଲା ଏକ ଭେନ୍‌। ଆଉ ଏହି ଭେନ୍‌ ଖୋଲିବା ପରେ ଛାତି ପିଟି ସବୁ ଠିକ୍‌ କହୁଥିବା ମୁରାରୀଙ୍କ ମୁହଁ ଲାଲ ହୋଇଯାଇଥିଲା। ଧରା ପଡ଼ିଯାଇଥିଲା ମୁରାରୀଙ୍କ ବେଆଇନ ବିସ୍ଫୋରକ କାରବାରର ଫର୍ଦ। ଗୋଦାମରେ ଥିବା ବିସ୍ଫୋରକ ଓ ଷ୍ଟକ୍‌ ସଂପର୍କିତ କାଗଜପତ୍ର ମେଳ ଖାଉଥିବା ବେଳେ ବିସ୍ଫୋରକ ଭେନ୍‌ରୁ ବିସ୍ଫୋରକ ଆସିଲା କେଉଁଠୁ? ତେଣୁ ମୁରାରୀଙ୍କୁ ବି ଗିରଫ କରିଥିଲା ବେଲପଡ଼ା ପୁଲିସ।
ମଙ୍ଗଳବାର ତିନିଜଣଙ୍କୁ ରିମାଣ୍ଡରେ ଆଣିଛି ବଲାଙ୍ଗୀର ପୁଲିସ। ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବା ବେଳେ ତଦନ୍ତରେ ବାଧା ନସୃଷ୍ଟି ହେଉ, ସେଥିପାଇଁ ବଲାଙ୍ଗୀର ପୁଲିସ ଗୁପ୍ତ ସ୍ଥାନରେ ରଖି ସେମାନଙ୍କୁ ଜେରା ଚଳାଇଛି। ସୋମବାର ପୁଲିସକୁ ସେମାନେ ସହଯୋଗ କରି ନଥିଲେ। ସୂଚନା ଆଦାୟ କରିବାକୁ ଯେତେ ଚେଷ୍ଟା କରିଥିଲେ ବି ପୁଲିସକୁ ଗୋଲ୍‌ ଗୋଲ୍‌ ବୁଲାଇଥିଲେ। କମ୍‌ କହିଥିଲେ ଓ ମିଛ କହୁଥିଲେ। ଖୋଦ୍‌ ଏସ୍‌ପି କେ.ସିଭା ସୁବ୍ରମଣି, ଅତିରିକ୍ତ ଏସ୍‌ପି ଶଶିଭୂଷଣ ଶତପଥୀ, ଏସ୍‌ଡିପିଓ ନାରାୟଣ ନାୟକଙ୍କ ସହ ଅନ୍ୟମାନେ ପର୍ଯ୍ୟାୟ ପର୍ଯ୍ୟାୟ କରି ପଚରା ଉଚୁରା ଚଳାଇଛନ୍ତି। ମଙ୍ଗଳବାର କିଛି ସୂଚନାକୁ ଆଧାର କରି ପୁଲିସ ତାର ତଦନ୍ତ ଚଳାଇଛି। ଗୋଦାମରେ ସିନା ଗଚ୍ଛିତ ବିସ୍ଫୋରକ ଓ ରେକର୍ଡ ଠିକ୍‌ ଥିଲା। ତେବେ ବିସ୍ଫୋରକ ଗୋଦାମରେ ନିୟୋଜିତ ଗାଡିଗୁଡ଼ିକରେ ଥିବା ବିସ୍ଫୋରକ ତା’ହେଲେ କେଉଁଠୁ ଆସିଲା। ଆଇନ ଅନୁସାରେ ସେମାନେ ଗୋଟିଏ ପଟେ କାମ କରୁଥିବା ବେଳେ ବେଆଇନ ଭାବେ ବି କାରବାର ଚଳାଇଥିଲେ। ଏହି ବେଆଇନ୍‌ କାରବାର ପାଇଁ ଆସୁଥିବା ବିସ୍ଫୋରକ ଆସୁଥିଲା କେଉଁଠୁ? ତାର ମୂଳ ଠିକଣା ଖୋଳତାଡ ଆରମ୍ଭ କରିଛି ପୁଲିସ। ସେହିପରି ପୂର୍ବରୁ ଏହି ମାମଲାରେ ପୁଲିସ ବାବୁମାନଙ୍କ ଭୂମିକା ବି ସନ୍ଦେହଜନକ ଥିବାରୁ ସେମାନଙ୍କ ସହିତ ନିବିଡତା ନେଇ ବି ଗୋପନୀୟ ଜେରା ଜାରି ରହିଛି। ବୁଧୁବାର ସେମାନଙ୍କ ରିମାଣ୍ଡ ଅବଧି ଶେଷ ହେଉଛି। ସେହିପରି ବଲାଙ୍ଗୀର ରାସ୍ତା ଓ କୋଠା ନିର୍ମାଣ ସଂସ୍ଥା(ଆର୍‌ଏଣ୍ଡବି)ରେ ଟେଣ୍ଡର ପାଇଥିବା ଓ ଟିଡିଆର୍‌ ଠକେଇର ମାଷ୍ଟର ବଣ୍ଟି ଅଗ୍ରୱାଲଙ୍କୁ ବି ଖୁବଶୀଘ୍ର ବଲାଙ୍ଗୀର ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର