ସରକାରୀ ଅନୁଦାନ ପାଣ୍ଠିର ଦୁରୁପଯୋଗ

ଲୋଇସିଂହା: ଲୋଇସିଂହା ପଞ୍ଚାୟତର ମାର୍କେଟ କଂପ୍ଲେକ୍ସ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଉକ୍ତ ଅର୍ଥରେ ସ୍ଥାନୀୟ ସାପ୍ତାହିକ ବଜାର ଠାରେ ଷ୍ଟଲ ଗୁଡିକ ନିର୍ମାଣ ପାଇଁ କାଯ୍ୟର୍ ଆରମ୍ଭ ହୋଇଥିଲା। ଏଠାରେ ପୋଖରୀ ଥିବା ଏବଂ ବିଶେଷ କରି ମହିଳାମାନେ ଗାଧୋଇବା ପାଇଁ ଘାଟ ରହିଥିବା ଯୋଗୁଁ ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ସ୍ଥାନୀୟ କେତେକ ଗ୍ରାମବାସୀ ପୋଖରୀ ଆଡ଼କୁ ଦୋକାନ ଗୃହର ମୁହଁ ନ କରି କିମ୍ବା ଏଠାରୁ ଅନ୍ୟ ପଟକୁ ଘୁଞ୍ଚାଇ ନେବା ପାଇଁ ପରାମର୍ଶ ଦେଇ କାମ ବନ୍ଦ କରାଇ ଦେଇଥିଲେ। ତେବେ ଉକ୍ତ ପ୍ରକଳ୍ପକୁ ବ୍ଲକ୍‌ ଅଫିସ ପରିସରକୁ ନେଇ ଏପରି ଏକ ସ୍ଥାନରେ ନିର୍ମାଣ କରାଯାଇଛି ତାହା କେବେ ବ୍ୟବହାରଯୋଗ୍ୟ ହୋଇ ପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଏହା ୧୦ ଲକ୍ଷ ଟଙ୍କାର ପ୍ରକଳ୍ପ ହୋଇଥିବା ଏବଂ ବଲାଙ୍ଗୀର ଡିଆରଡିଏ ଦ୍ୱାରା ଖର୍ଚ୍ଚ ଅଟକଳ ମଞ୍ଜୁର ହେବା ନିର୍ଦେଶ ରହିଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ହୋଇ ପଞ୍ଚାୟତ ପକ୍ଷରୁ ୫ଲକ୍ଷ ଲେଖାଏଁ ଦୁଇଟି ପ୍ରକଳ୍ପ କରାଯାଇଛି ଏବଂ ଖର୍ଚ୍ଚ ଅଟକଳ ଅନୁସାରେ କାମ କରା ନ ଯାଇ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି।

ନବ ନିର୍ମିତ ଦୋକାନ ଗୃହର ସମ୍ମୁଖରେ ବ୍ଲକ୍‌ ଅଫିସର ବାଡ଼ ରହିଥିବା ଏବଂ ତା’ ଆଗକୁ ଲୋକେ ଦୋକାନ ସବୁ କରିଛନ୍ତି। ଦୋକନ ଗୃହଗୁଡ଼ିକର ବ୍ୟବହାର ସଂପର୍କରେ ସ୍ଥାନୀୟ ସରପଞ୍ଚ ସୁନୀଲ ଅଗ୍ରଓ୍ଵାଲାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ, ସାପ୍ତାହିକ ବଜାରରେ ସ୍ଥାନୀୟ ଲୋକେ ମନା କରିବାରୁ କାମ ସେଠାରେ କରା ନ ଯାଇ ବ୍ଲକ୍‌ ଅଫିସ ପରିସରରେ ନିର୍ମାଣ କରାଯାଇଛି; ଏହା ପଂଚାୟତ ପାଣ୍ଠି ହୋଇ ଥିବାରୁ ଏହାର ଖର୍ଚ୍ଚ ଅଟକଳକୁ ଭାଗ ଭାଗ କରି ପଞ୍ଚାୟତ ପକ୍ଷରୁ ମଞ୍ଜୁର କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଜାତୀୟ ରାଜପଥ ଓସାର କରାଯିବା ବେଳେ ଏହି ଗୃହର ସମ୍ମୁଖରେ ଥିବା ଦୋକାନଗୁଡ଼ିକ ହଟିଲେ କିମ୍ବା ଉକ୍ତ ଦୋକାନୀମାନେ ପଞ୍ଚାୟତକୁ ଭଡ଼ା ଦେବା ପାଇଁ ଚୁକ୍ତି କଲେ ବ୍ଲକ୍‌ ବାଡ଼ କାନ୍ଥ ଭଙ୍ଗାଯାଇ ଏଗୁଡିକ କାଯ୍ୟର୍କ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ଏହାକୁ ୨ ଭାଗ କରି ପଞ୍ଚାୟତ ପକ୍ଷରୁ ମଞ୍ଜୁର କରାଯାଇଥିବା ସ୍ୱୀକାର କରି ଅନ୍ୟ କିଛି କହିବା ପାଇଁ ମନା କରି ଦେଇଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାମରେ ଫାଇଲ ଖୋଲାଯାଇ କାମ କରାଯାଇଥିବାରୁ ସେ ପ୍ରତିକ୍ରିୟା ପ୍ରକାଶ କରି ଯଦି ଏହା ଗୋଟିଏ ଫାଇଲରେ କାମ ହେବା ପାଇଁ ନିର୍ଦେଶ ରହିଥିଲା ତେବେ ସହକାରୀ ଯନ୍ତ୍ରୀ ଆଗରୁ କାହିଁକି କିଛି ପରାମର୍ଶ ଦେଇ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଏବଂ ନିମ୍ନ ମାନର କାମ ହୋଇଥିବା ସେ ଅସ୍ୱୀକାର କରିଛନ୍ତି। ବରିଷ୍ଠ ପଦାଧିକାରୀ ଉପଯୁକ୍ତ ତଦନ୍ତ କଲେ ନିୟମ ବହିର୍ଭୁତ କାମର ରହସ୍ୟ ଉନ୍ମୋଚିତ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର