ହୋମଗାର୍ଡଙ୍କ ବେଆଇନ ଅର୍ଥ ଆଦାୟ!

ଲୋଇସିଂହା: ଲୋଇସିଂହା ଥାନାର କେତେକ ହୋମଗାର୍ଡ ବେଆଇନ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଝାଙ୍କରପାଲି ଗାଁର ଜଣେ ଯୁବତୀ ନିଜ ଚାକିରି ପାଇଁ ଆବଶ୍ୟକ ପ୍ରମାଣ ପତ୍ର ଯୋଗାଡ଼ କରିବାକୁ ଲୋଇସିଂହା ଥାନାର ଦ୍ୱାରସ୍ଥ ହୋଇଥିଲେ। ଜଣେ ହୋମ ଗାର୍ଡ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଫର୍ମ ଆଣିବାକୁ ପଠାଇଥିଲେ। ଥାନା ପକ୍ଷରୁ ମାଗଣା ମିଳୁଥିବା ଫର୍ମ ପାଇଁ ତାଙ୍କୁ ଉକ୍ତ ଦୋକାନରେ ୧୦୦ ଟଙ୍କା ଦେବାକୁ ପଡ଼ିଥିଲା। ପ୍ରମାଣ ପତ୍ରରେ ଥାନା ଅଧିକାରଣୀଙ୍କ ସ୍ୱାକ୍ଷର ପାଇଁ ଉକ୍ତ ହୋମଗାର୍ଡ ୫ଶହ ଟଙ୍କା ମାଗିଥିଲେ। ଏନେଇ ଥାନାଧିକାରିଣୀଙ୍କୁ ପଚରାଯିବାରୁ ପ୍ରମାଣପତ୍ର ପାଇଁ ଅଟଙ୍କା ଆଦାୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ।

ସେହିପରି ଆଗଲପୁର ତହସିଲ ଅଞ୍ଚଳର ଗୋଟିଏ ଗାଁରେ ତହସିଲଦାରଙ୍କ ସୂଚନା କ୍ରମେ ଏକ ଡିମାର୍କେସନ କେସ୍‌ ପାଇଁ ଲୋଇସିଂହା ଥାନାରେ ଡ୍ରାଇଭର ଥିବା ଅନ୍ୟ ଜଣେ ହୋମଗାର୍ଡ ଥାନା ଅଧିକାରିଣୀଙ୍କ ସହ ଦୁଇଜଣ କର୍ମଚାରୀଙ୍କୁ ନେଇ ଯାଇଥିଲେ। ସେଠାରେ ହୋମଗାର୍ଡଙ୍କ ଅଶୋଭନୀୟ ବ୍ୟବହାରରେ ଅତିଷ୍ଠ ହୋଇ ଗ୍ରାମବାସୀମାନେ ତାଙ୍କୁ ଏକ କୋଠରିରେ ବନ୍ଦ କରି ରଖି ଦେଇଥିଲେ। ପରେ ଥାନାରୁ ଅନ୍ୟ ଜଣେ ଡ୍ରାଇଭିଂ ଜାଣିଥିବା କର୍ମଚାରୀ ଘଟଣାସ୍ଥଳକୁ ଯିବା ପରେ ତହସିଲଦାର ଲୋକଙ୍କୁ ବୁଝାସୁଝା ପରେ ତାଙ୍କୁ ଉଦ୍ଧାର କରି ଫେରି ଆସିଥିଲେ। ଏ ବିଷୟରେ ଉକ୍ତ ହୋମଗାର୍ଡଙ୍କୁ ପଚାରିବାରୁ ଏହା ଛୋଟ କଥା କହିଥିଲେ। ଥାନା ଅଧିକାରିଣୀଙ୍କୁ ପଚାରିବାରୁ ସେଭଳି କିଛି ହୋଇ ନାହିଁ ଏବଂ ମହିଳାମାନଙ୍କ ଯୋଗୁଁ ଡିମାର୍କେସନ ହୋଇ ପାରିଲା ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର