ସ୍ବାମୀ ୟୁଗ ସୁନା ବେଲପଡ଼ା ଥାନାରେ ଅଟକ

ବଲାଙ୍ଗୀର,: ସେଲଫି ବେବୋ ସିମରନଙ୍କ ମୃତ୍ୟୁ ମାମଲାରେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ପୁଲିସ ମୃତ ସିମରନଙ୍କ ସ୍ବାମୀ ରଞ୍ଜୁ ସୁନା ଓରଫ ୟୁଗଙ୍କୁ ଅଟକ ରଖିଛି। ସମ୍ବଲପୁର ପୁଲିସ ପହଞ୍ଚିଲେ ୟୁଗଙ୍କୁ ହସ୍ତାନ୍ତର କରାଯିବ ବୋଲି ବେଲପଡ଼ା ପୁଲିସ କହିଛି। ସିମରନଙ୍କ ପରିବାର ବର୍ଗ ସିମରନଙ୍କ ମୃତ୍ୟୁରେ ୟୁଗ ସୁନା, ତାଙ୍କ କାକା ରୁକୁ ସୁନାଙ୍କୁ ଦାୟୀ କରିଥିଲେ। ଏହା ଏକ ହତ୍ୟା ଘଟଣା ବୋଲି ସମ୍ବଲପୁର ଜିଲ୍ଲା ପୁଲିସକୁ ଲିଖିତ ଏତଲା ଦେଇଥିଲେ। ଶୁକ୍ରବାର ଡିଆଇଜି ସତ୍ୟବ୍ରତ ଭୋଇ ଘଟଣାରେ ହସ୍ତକ୍ଷେପ କରିବା ପରେ ୟୁଗଙ୍କୁ ପୁଲିସ ଘରୁ ଉଠାଇଥିଲା। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ୟୁଗ। ୟୁଗ କହିଛନ୍ତି, ଘଟଣାରେ ତାଙ୍କର କୌଣସି ଭୂମିକା ନାହିଁ। ଅଯଥାରେ ତାଙ୍କ ଉପରେ ଓ କାକା ରୁକୁଙ୍କ ଉପରେ ଦୋଷ ଲଦାଯାଉଛି। ସିମରନ ଓ ସେ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ ସତ। ବହୁ ଦିନ ଧରି ଭିଲାଇରେ ବି ରହୁଥିଲେ। ପ୍ରାୟ ଏକ ମାସ ହେବ ସେମାନେ ଅଲଗା ଅଲଗା ରହୁଥିଲେ। ଗତ ୨ ତାରିଖରେ ସେ ସିମରନଙ୍କ ସହ କଥା ହୋଇଥିଲେ। ପୂର୍ବରୁ ଭିଲାଇରେ ମଧ୍ୟ ସେ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ସିମରନଙ୍କୁ ମରିଗଲେ ଫରକ ପଡ଼ିବ ନାହିଁ ବୋଲି ଯେଉଁ କଥା କହିଥିଲି ତାହା ଆମ ଦୁହିଁଙ୍କ ଭିତରେ କଥା କଟାକଟି ହେବା ସମୟରେ ହୋଇଥିଲା ବୋଲି ୟୁଗ କହିଛନ୍ତି।

ସମ୍ବନ୍ଧିତ ଖବର