ଖପ୍ରାଖୋଲ ମଣ୍ତିରେ ପଡ଼ିଛି ଶହ ଶହ ବସ୍ତା ଧାନ ମିଲରଙ୍କ ଦେଖା ନାହିଁ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ସଦର ମହକୁମା ପେକ୍ସ ଧାନ ମଣ୍ତିରେ ଏକ ସପ୍ତାହ ହେଲା ଚାଷୀଙ୍କ ଶହ ଶହ ବସ୍ତା ଧାନ ପଡ଼ିଥିଲେ ବି ମିଲରଙ୍କ ଦେଖା ନାହିଁ। ଫଳରେ ଚାଷୀମାନେ ମଣ୍ତିରେ ରାତି ବେଳା ଧାନ ଜଗୁଛନ୍ତି। ଏ ନେଇ ଚାଷୀ ସମବାୟ ସମିତିକୁ ଜଣାଇଲେ ଅସହାୟତା ପ୍ରକାଶ କରୁଥିବା ଜଣାଯାଇଛି। ଏ ନେଇ ସମବାୟ ସମିତି ସଭାପତି ନରେନ୍ଦ୍ର ଭୋଇଙ୍କୁ ପଚାରିବାରୁ ଗତ ସପ୍ତାହରେ ବେଲପଡାର ଗାୟତ୍ରୀ ରାଇସ ମିଲ ଚାଷୀଙ୍କ ଧାନ ଠିକ ମାନର ହୋଇ ନଥିବା କହି ଚାଷୀଙ୍କ ସହିତ ଯୁକ୍ତିତର୍କ ପରେ ଆଉ ଧାନ କିଣିବାକୁ ଆସୁନଥିବା ଏବଂ ଏ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିବା କହିଛନ୍ତି। ସେହିପରି ସମବାୟ ସମିତି ସଂପାଦକ ଶ୍ରୀପତି ଭୋଇଙ୍କୁ ପଚାରିବାରୁ ମିଲର୍ସଙ୍କ ଟାର୍ଗେଟ ବାକି ଅଛି ହେଲେ। ଏଫଏକ୍ୟୁ ମାନର ଧାନ ମିଲ ମାଲିକ ଖୋଜୁଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଚାଷୀମାନେ ମିଲ ମାଲିକ କ୍ବିଣ୍ଟାଲ ପ୍ରତି ୪-୫ କେଜି କଟନି ଛଟନି କରୁଛନ୍ତି। ପ୍ରତିବାଦ କରିବାରୁ ମିଲର୍ସ ଧାନ କିଣିବାକୁ ଆସୁ ନଥିବା କହିଛନ୍ତି। ଏହି ସମସ୍ୟାର ସମାଧାନ ନ ହେଲେ ଶୁ୍କ୍ରବାର ରାସ୍ତା ଉପରେ ଧାନ ରଖି ରାସ୍ତାରୋକ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ନେଇ ରାଇସ ମିଲ ମାଲିକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କେତେକ ଚାଷୀଙ୍କ ଧାନ ନିମ୍ନମାନର ରହିଛି। ଏପରିକି ଧାନ ଡିସକଲର ହୋଇଯାଇଛି। ଏହାକୁ କିଣିବାକୁ ମନା କରିବାରୁ କେତେକ ଚାଷୀ ତାଙ୍କ ଧାନ ଟ୍ରକକୁ ମଣ୍ତିରେ ଅଟକ ରଖିଥିଲେ। ଯୋଗାଣ ବିଭାଗ ଓ ସମବାୟ ସମିତି ସହଯୋଗ କଲେ ଧାନ କିଣାଯାଇ ପାରିବ ବୋଲି କହିଛନ୍ତି। ସେହିପରି ପାଟଣାଗଡ଼ ଉପଖଣ୍ତ ଯୋଗାଣ ଅଧିକାରୀ ବିଜୟ କୁଲୁଙ୍କୁ ପଚାରିବାରୁ ଶୁକ୍ରବାର ମଣ୍ତିକୁ ଯାଇ କଣ ସମସ୍ୟା ହୋଇଛି ଅନୁସନ୍ଧାନ କଲା ପରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର