ଗୁଡ଼ଭେଲା: ଚଳିତ ବର୍ଷ ତୃତୀୟ ଥର ପାଇଁ ଗୁଡ଼ଭେଲା ବ୍ଲକର ଯାମୁଟ ଓ ଗମ୍ଭାରିଗୁଡ଼ା ପଞ୍ଚାୟତର ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏଠାରେ ଏକ ଉଚ୍ଚ ପୋଲର ଆବଶ୍ୟକତା ଥିବା ବେଳେ ପ୍ରଶାସନର ନିଘା ନାହିଁ। ଯାମୁଟ ଧନପୁର ରାସ୍ତା କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବାରୁ ସର୍ବଦା ବ୍ୟସ୍ତ ରହେ। ଯାମୁଟ ନିକଟବର୍ତ୍ତୀ କୋତ୍କୋମୁହାନ୍ ନାଳା ଉପରେ ଅନୁଚ୍ଚ ପୋଲ ଥିବାରୁ ପ୍ରତିବର୍ଷ ବନ୍ୟା ଜଳ ପୋଲ ଲଂଘି ପ୍ରବାହିତ ହୋଇଥାଏ। ଜୁଲାଇ ୨୦ ଓ ଅଗଷ୍ଟ ୧୫ ପରେ ଗୁରୁବାର ପୋଲ ଉପରେ ପାଣି ପ୍ରବାହିତ ହେଉଛି। ପୂର୍ବରୁ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ଖବର ଲେଖା ବେଳେ ୧୦ ଫୁଟ ପ୍ରବାହିତ ହେଉଥିବା ଜଣାଯାଇଛି। ବର୍ଷା ଅନବରତ ଲାଗି ରହିଥିବା ବେଳେ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହା ଦ୍ୱାରା ନାଳ ସେପଟେ ଥିବା ଯାମୁଟ ପଞ୍ଚାୟତର ଡଙ୍ଗରଗାଁ ଓ ତିଲକାମାଲ ତଥା ସମଗ୍ର ଗମ୍ଭାରିଗୁଡ଼ା ପଞ୍ଚାୟତର ୮ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ନାଳର ଉଭୟ ପଟରେ ଲୋକେ ଅଟକି ରହିଛନ୍ତି। ବନ୍ୟା ପରିସ୍ଥିତି ବିଷୟରେ ବିଡିଓ ରାମ ବିଳାଶ ମଙ୍ଗରାଜଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ‘ପଥଚାରୀଙ୍କ ଯାତାୟତରେ ସହାୟତା ପାଇଁ ଦମକଳ ଅଫିସକୁ ଚିଠି କରିଛି। ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଗାଡ଼ି ସହ ୩ଟି ଦଳ ଗଠନ କରାଯାଇଥିବା ବେଳେ କର୍ମଚାରୀମାନେ ସର୍ବଦା ସଜାଗ ଅଛନ୍ତି’ ବୋଲି ପ୍ରକାଶ କରିଛନ୍ତି। ଏହି ସମୟରେ ଲୋକଙ୍କୁ ଡାକ୍ତରୀ ସେବା ଯୋଗାଇବା ବିଷୟରେ ଇନଚାର୍ଜ ମେଡିକାଲ ଅଫିସର୍ ଡା. ଲଲାଟେନ୍ଦୁ ନାୟକଙ୍କୁ ଯୋଗାଯୋଗ କରାଯିବାରେ ଗମ୍ଭାରିଗୁଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆହୋଇଛି। ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି। ସେପଟେ ଦମକଳ ବାହିନୀ ମୃତୟନ ହୋଇ ଖବର ଲେଖାଯିବା ପର୍ଯ୍ୟନ୍ତ ଲୋକଙ୍କୁ ନାଳ ପାରି ହେବାରେ ସହଯୋଗ କରୁଥିବା ଜଣାଯାଇଛି।