ଯାଯାବର ଜୀବନର ଆଉ ଏକ ଦୁଃଖଦ ଚିତ୍ର:ପଲିଥିନ୍‌ ତଳେ ବିତେ ଦିନ ରାତି

ତତଲାଗଡ଼ର ତାତି

ଟିଟିଲାଗଡ଼: ମୁଣ୍ଡ ଉପରେ ଟାଣ ଖରା। ଛିନାଛିନା ରାସ୍ତାଘାଟ। ରାସ୍ତା କଡ଼ ଗଛ ମୂଳେ ଲୋକେ ବିଶ୍ରାମ ନେଉଥିବା ବେଳେ ପାଣି ମୁନ୍ଦିଏ ପାଇଁ ଧାଁ ଦଉଡ଼। ଜୀବନ ଜିଇଁବା ପାଇଁ କସରତ ଖାଲି ଏତିକିରେ ସରିନାହିଁ। ନିଜ ସହ ନିଜ ପରିବାର ମୁହଁରେ ମୁଠାଏ ଆହାର ଯୋଗାଇ ଦେବାପାଇଁ ଚାଲିଛି ସଂଗ୍ରାମ। ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ନାହିଁ। କ୍ଷୀର ଛାଡି ନଥିବା ପିଲାଠାରୁ ଆରମ୍ଭ କରି ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧବୃଦ୍ଧା ମଧ୍ୟ ପଲିଥିନ ଢଙ୍କା ତମୁରେ ମୁଣ୍ଡ ଗୁଂଜିଛନ୍ତି। ତତଲାଗଡ଼ରେ ତାତିରୁ ନିସ୍ତାର ମିଳୁ ନଥିବା ବେଳେ ପଲିଥିନ୍‌ ତଳେ ଯାଯାବର ଜୀବନର କିଛି ନିରାଟ ଦୃଶ୍ୟ ଦେଖିବାକୁ ମିଳିଛି ଟିଟିଲାଗଡ଼ ବ୍ଲକ ପିପଲପଦର ଗାଁ ନିକଟରେ।
ଟିଟିଲାଗଡ଼ ସହରର ବିଭିନ୍ନ ଅଞ୍ଚଳରେ କିଛି ନୂଆ ଲୋକ ଘୂରି ବୁଲୁଛନ୍ତି। ପାଣି ଡ୍ରମ ବିକିବା ପାଇଁ ଏ ପଡ଼ାରୁ ସେ ପଡ଼ା ବୁଲୁଛନ୍ତି ଏହି ଅଣଓଡ଼ିଆ ଲୋକେ। ଏମାନେ ରହନ୍ତି ଟିଟିଲାଗଡ଼ ବ୍ଲକ ପିପଲପଦର ଗାଁ ପଡ଼ିଆରେ ପଲିଥିନ ଘରେ। ନୂଆଣିଆ ତମ୍ବୁ ଟଣା ହୋଇଛି। ପ୍ରାୟ ୭ରୁ ୮ଟି ତମ୍ବୁ ଘରେ ଏହି ବୁଲା ବିକାଳିମାନେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରମେଶ ଗଟ୍ଟର। ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାରେ ରମେଶଙ୍କ ଘର। ନାଗପୁରରୁ ସେଠ୍‌ ଡ୍ରମ ପଠାଏ। ସେହି ଡ୍ରମଗୁଡ଼ିକୁ ସେମାନେ ବିଭିନ୍ନ ଅଞ୍ଚଳରେ ବୁଲି ବିକ୍ରି କରନ୍ତି। ସ୍ତ୍ରୀ, ଦୁଇ ପୁଅ ଓ ମା’ଙ୍କୁ ବି ସାଙ୍ଗରେ ଆଣିଛନ୍ତି ରମେଶ। ଦିନ ତମାମ ଡ୍ରମ ବିକିବା ପରେ ପଲିଥିନ୍‌ ତଳକୁ ଫେରି ଆସନ୍ତି। ଏଠାକୁ ବ୍ୟବସାୟ ପାଇଁ ଆସିଥିବା ରମେଶ କେବଳ ଏକା ନୁହଁନ୍ତି।

ତାଙ୍କ ପରି ରାଜକୁମାର ଚୌହାନ, ଗଙ୍ଗାରାମ ଟାକିଆ, ଦେବା ଟାକିଆ ପରି ପ୍ରାୟ ଦଶ ଜଣ ପୁରୁଷ ନିଜ ବ୍ୟବସାୟ ପାଇଁ ଟିଟିଲାଗଡ଼ ଆସିଛନ୍ତି। ଆଉ ଏମାନଙ୍କ ସହ ଆସିଛନ୍ତି ତାଙ୍କ ପରିବାର ଲୋକେ। ପିପଲପଦର ଗାଁ ନିକଟ ଖୋଲା ପଡିଆରେ ପଲିଥିନ ତମ୍ବୁ ବାନ୍ଧି ଏଥିରେ ରହିଛନ୍ତି ପିଲାବୁଢ଼ା ମିଶାଇ ପ୍ରାୟ ତିରିଶ ଜଣ। ମାସେ ତଳୁ ଏମାନେ ଆସି ଏଠାରେ ବସତି ବାନ୍ଧିଥିବା ବେଳେ ଆଉ ଆଠ ଦଶ ଦିନ ମଧ୍ୟରେ ଏଠାରୁ ତମ୍ବୁ କାଢ଼ି ଅନ୍ୟତ୍ର ବାହାରି ଯିବା ପାଇଁ ସଜବାଜ ହେଉଛନ୍ତି।
ଖରାରେ ଓ ପଲିଥିନ୍‌ ତଳେ ରହିବା ସଂପର୍କରେ ରମେଶ କହିଥିଲେ ଯେ, ଖରାକୁ ନେଇ ଅନେକ ହଇରାଣ ହେଉଛନ୍ତି। ସମୟ ସମୟରେ ପିଇବାକୁ ପାଣି ମୁନ୍ଦିଏ ମିଳିବା ମଧ୍ୟ କଷ୍ଟକର ହୋଇ ପଡୁଛି। କିଛି ସ୍ଥାନରେ ତମ୍ବୁ ଲଗାଇଲେ ଲୋକେ ଦୟା କରି କିଛି କହୁ ନଥିବା ବେଳେ କିଛି ସ୍ଥାନରେ ଆମକୁ ଚୋର ଆଖ୍ୟା ଦେଇ ଲୋକେ ଘଉଡ଼ାଇ ମଧ୍ୟ ଦେଉଛନ୍ତି। ବିଶେଷ କରି ଏପରି ଖରା ସମୟରେ ଛୋଟ ଛୁଆମାନେ ଅନେକ ହଇରାଣ ହେଉଛନ୍ତି ବୋଲି ରମେଶ କହନ୍ତି। କିନ୍ତୁ ଡ୍ରମ ବିକ୍ରି କରି ସେମାନେ ଦିନକୁ ୨ଶହରୁ ତିନିଶହ ଟଙ୍କା ରୋଜଗାର କରୁଥିବାରୁ ସେମାନେ ଜୀବନକୁ ଏମିତି ଜିଇଁବାକୁ ଏକପ୍ରକାର ବାଧ୍ୟ ହୋଇ ସାରିଲେଣି ବୋଲି କହନ୍ତି ନଥି ରାଜପୁତ। ତେବେ ଟିଟିଲାଗଡରେ ଦୁଇ ତିନି ଦିନରେ ପିଏଚ୍‌ଡି ପାଣି ଆସୁଥିବା ବେଳେ ଜଳ ସମସ୍ୟା ଉତ୍କଟ। ତେଣୁ ଏହି ଡ୍ରମ ବିକାଳିଙ୍କୁ ଖୋଜାପଡ଼େ ବୋଲି ଡ୍ରମ କିଣିବାକୁ ଆସିଥିବା ବେଳେ କହିଥିଲେ ହାଟପଦା ପଡ଼ାର ଝୁନା ସାହୁ।

ସମ୍ବନ୍ଧିତ ଖବର