ମନରେଗା ସାମାଜିକ ସମୀକ୍ଷାରେ ଭିଆର୍‌ପିଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ୍‌ ମାର୍ଲାଡ଼ ପଞ୍ଚାୟତରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ବେଳେ ଭିଲେଜ ରିସୋର୍ସ ପର୍ସନ (ଭିଆର୍‌ପି)ଙ୍କୁ ସରପଞ୍ଚ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ଗୁରୁବାର ମାର୍ଲାଡ ପଞ୍ଚାୟତର ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଥିଲା। ଏଥିରେ ଯୋଗ ଦେବାକୁ ବ୍ଲକର ବିଭିନ୍ନ ଅଧିକାରୀଙ୍କ ସହ ଏହି ପଞ୍ଚାୟତରେ ଭିଆରପି ଭାବେ ନିଯୁକ୍ତି ପାଇଥିବା ବବି ସୁନା, କୌଶଲ୍ୟା ଦୀପ ଓ ମଞ୍ଜରୀ ରଣା ଯାଇଥିଲେ। ତେବେ ସେଠାରେ ହଠାତ ମାର୍ଲାଡ ସରପଞ୍ଚ ଅନନ୍ତ କିଶୋର ସାହୁ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନେ ସଠିକ୍‌ ଭାବେ ସମୀକ୍ଷା କାର୍ଯ୍ୟ ମଧ୍ୟ କରିପାରି ନଥିବା ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିବା ପରେ ବ୍ଲକରେ କାର୍ଯ୍ୟରତ ସମସ୍ତ ଭିଆରପି ସଂଘବଦ୍ଧ ଭାବେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ ଠାରୁ ସୂଚନା ପାଇ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ବର୍ଷା ହରପାଲ ମଧ୍ୟ ଟିଟିଲାଗଡ ବ୍ଲକରେ ପହଞ୍ଚି ଥିଲେ।

ସେମାନେ ସରପଞ୍ଚଙ୍କ ଏତାଦୃଶ ବ୍ୟବହାର ପାଇଁ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ବିଡିଓ ମୋହନ ସାହୁ ଘଟଣାର ତଦନ୍ତ ପାଇଁ ଏବିଡିଓଙ୍କୁ ପଞ୍ଚାୟତକୁ ପଠାଯିବ ଓ ତଦନ୍ତ ରିପୋର୍ଟ ଆସିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲପାଳଙ୍କ ନିକଟକୁ ତଦନ୍ତ ରିପୋର୍ଟ ପଠାଯିବ ବୋଲି କହିଛନ୍ତି। ପରେ ଭିଆରପି ମାନେ ଟିଟିଲାଗଡ଼ ଥାନାରେ ପହଞ୍ଚି ମାର୍ଲାଡ ସରପଞ୍ଚଙ୍କ ବିରୋଧରେ ଥାନାରେ ଏତଲ ଦେଇଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରିବା ପରେ ରିପୋର୍ଟ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିଟିଲାଗଡ଼ ଥାନାଧିକାରୀ ବିଜୟାନନ୍ଦ କରକରା କହିଛନ୍ତି।

ସମ୍ବନ୍ଧିତ ଖବର