ଝରନିରୁ ନିଖୋଜ ମହିଳା ମିଳିଲେ ପାଟଣାଗଡ଼ରୁ :ବଲାଙ୍ଗୀର ସ୍ୱଧାରକୁ ସ୍ଥାନାନ୍ତରିତ, ଶୁକ୍ରବାର ହେବ ପଚରା ଉଚରା

ବଲାଙ୍ଗୀର/ ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ସୀମାନ୍ତ ତୁରେକେଲା ବ୍ଲକର ଝରନି ଗାଁରେ ଜଣେ ମହିଳାଙ୍କୁ ତୁରେକେଲା ବ୍ଲକ ବିଜେଡି ସଭାପତି ତଥା ତାଙ୍କର ଜଣେ ସହଯୋଗୀ ଅପହରଣ କରି ନେଇ ରାଜ୍ୟ ବାହାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏସଂପର୍କିତ ଖବର ଗୁରୁବାର ପ୍ରକାଶ ପାଇବା ପରେ ମହିଳାଜଣଙ୍କର ସନ୍ଧାନ ମିଳିଛି। ତେବେ ଝରନିରୁ ଆସିଥିବା ମହିଳାଜଣଙ୍କ କେମିତି ପାଟଣାଗଡର ଜଣେ ବିଜେଡି ନେତାଙ୍କ ଘରୁ ମିଳିଲେ ତାହା ହିଁ ପ୍ରସଙ୍ଗ ହୋଇଛି। ତେବେ ଶୁକ୍ରବାର ତୁରେକେଲା ପୁଲିସ ଆସି ମହିଳାଙ୍କୁ ପଚରା ଉଚୁରା କରିବ ବୋଲି ଜଣାପଡିଛି।

ତୁରେକେଲା ଥାନା ବନ୍ଧେନପାଲି ଗାଁର ପବିତ୍ର କୁଅଁରଙ୍କ ଝିଅ ରୁକ୍ମଣୀ କୁଅଁର ଝରନି ଗାଁର ୫୫ ବର୍ଷୀୟ ସୈଫୁଲ୍ଲା ଖାନ୍‌ଙ୍କ ଘରେ କାମ କରୁଥିଲେ। କିଛି ଦିନ ତଳେ ସୈଫୁ ତୁରେକେଲା ଥାନାକୁ ଯାଇ ତୁରେକେଲା ବ୍ଲକ ବିଜେଡି ସଭାପତି ଅର୍ସଦୁଲ୍ଲା ଖାନ୍‌ ଓ ସହଯୋଗୀ ଛୋଟୁ ଖାନ୍‌ ରୁକ୍ମଣୀକୁ ଅପହରଣ କରିନେଇ ରାଜ୍ୟ ବାହାରେ ବିକ୍ରି କରିଥିବା ଲିଖିତ ଅଭିଯୋଗ କରିଥିଲେ। ତୁରେକେଲା ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକେଲଙ୍କ କହିବା ଅନୁସାରେ ପୁଲିସ ପକ୍ଷରୁ ପ୍ରାଥମିକ ଭାବେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ସେହିପରି ନିଖୋଜ ହୋଇଥିବା ରୁକ୍ମଣିଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ତାଙ୍କୁ ଠାବ କରାଯିବା ପରେ ସ୍ପଷ୍ଟ ହେବ ଯେ କିଏ ଅପହରଣ ତାଙ୍କୁ କରିଥିଲା କି ଅନ୍ୟ କିଛି କାରଣ ରହିଛି।

ରୁକ୍ମଣି ଅପହରଣ ସଂପର୍କିତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପାଟଣାଗଡରେ ରହୁଥିବା ଜିଲ୍ଲା ସଂଖ୍ୟାଲଘୁ ସେଲ୍‌ର ସଭାପତି ସଲିମ ମହମ୍ମଦ ପାଟଣାଗଡ ଥାନାକୁ ଯୋଗାଯୋଗ କରିଥିଲେ। ଝରନିରୁ ନିଖୋଜ ହୋଇଥିବା ରୁକ୍ମଣି ତାଙ୍କ ଘରେ କିଛି ଦିନ ହେଲା ରହିଥିବା ସୂଚନା ଦେଇଥିଲେ। ପାଟଣାଗଡ ପୁଲିସ ରୁକ୍ମଣିଙ୍କୁ ଉଦ୍ଧାର କରିଥିଲା। ତେବେ ପରୀ ରଥ କାର୍ଯ୍ୟକ୍ରମରେ ତୁରେକେଲା ପୁଲିସ ବ୍ୟସ୍ତ ଥିବା ବେଳେ ଥାନାରେ ମହିଳା କର୍ମଚାରୀ କେହି ନାହାନ୍ତି। ତେଣୁ ରୁକ୍ମଣିଙ୍କୁ ତୁରେକେଲା ନନିଆଯାଇ ବଲାଙ୍ଗୀର ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି। ଶୁକ୍ରବାର ତୁରେକେଲା ଥାନାର ଜଣେ ଅଧିକାରୀ ରୁକ୍ମଣିଙ୍କ ପରିବାର ଲୋକଙ୍କୁ ସାଙ୍ଗରେ ନେଇ ବଲାଙ୍ଗୀର ଆସିବେ। ତାଙ୍କର ବୟାନ ରେକର୍ଡ କରାଯିବ। ରୁକ୍ମଣିଙ୍କ ବୟାନକୁ ଆଧାର କରି ଆଇନତଃ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଶ୍ରୀ କାଣ୍ଡେଲକେଲ କହିଛନ୍ତି।

ସମ୍ବନ୍ଧିତ ଖବର