ନରସିଂହଙ୍କ ମତ ପରିବର୍ତ୍ତନ : ସଦରରୁ ପୁଅ ନୁହେଁ, ନିଜେ ଲଢ଼ିବେ

ବଲାଙ୍ଗୀର : ବିରୋଧୀଦଳ ନେତା ନରସିଂହ ମିଶ୍ର ରାଜନୀତିରୁ ସନ୍ନ୍ୟାସ ନେବେ ଓ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବର୍ଷକ ତଳୁ ଘୋଷଣା କରିଥିଲେ। ତେବେ ଶ୍ରୀ ମିଶ୍ର ଇତିମଧ୍ୟରେ ମତ ପରିବର୍ତ୍ତନ କରି ପୁଣି ଥରେ ବଲାଙ୍ଗୀର ସଦର ଆସନରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି ବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଆସନରୁ ଜିତି ସେ ବିଧାୟକ ଓ ରାଜ୍ୟ ବିରୋଧୀ ଦଳ ନେତା ଅଛନ୍ତି। ଏଠାରୁ ଏଥର ତାଙ୍କ ବଦଳରେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହେବେ ବୋଲି କିଛି ଦିନ ହେଲାଣି କଳ୍ପନାଜଳ୍ପନା ଚାଲିଥିଲା। ଅନଙ୍ଗ-ନରସିଂହ ଲଢ଼େଇ ପରିବର୍ତ୍ତେ ଏଠାରେ ଉଭୟଙ୍କ ପୁଅ ଅର୍କେଶ ଓ ସମରେନ୍ଦ୍ରଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ଜିଲ୍ଲାବାସୀ ପ୍ରସ୍ତୁତ ହୋଇସାରିଥିଲେ। ତେବେ କଂଗ୍ରେସ ଦଳ ପକ୍ଷରୁ ଏଥର ବି ନରସିଂହ ମିଶ୍ର ଏଠାରୁ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିବା ପରେ ରାଜନୀତି ସରଗରମ ହୋଇଛି।

ଗତ ୨୦୧୪ ନିର୍ବାଚନରେ ରାଜ୍ୟରେ ବିଜେଡି ହାଓ୍ଵା ବହିଥିବା ବେଳେ ବଲାଙ୍ଗୀରରେ ପରିବର୍ତ୍ତନର ଝଡ଼ ଦେଖିବାକୁ ମିଳିଥିଲା। ଏଠାରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଓ ଶାସକ ବିଜେଡି ଦଳରୁ କ୍ରମାଗତ ଭାବେ ୫ଥର ବିଧାୟକ ହୋଇଥିବା ଅନଙ୍ଗ ଉଦୟ ସିଂହଦେଓ ମୁହାଁମୁହିଁ ହୋଇଥିଲେ। ପରିବର୍ତ୍ତନର ଆହ୍ଵାନ ଦେଇ ନରସିଂହ ଅନଙ୍ଗଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୪ ନିର୍ବାଚନ ଶ୍ରୀ ସିଂହଦେଓ ଓ ଶ୍ରୀ ମିଶ୍ରଙ୍କର ଶେଷ ଇନିଂସ ବୋଲି ଆକଳନ କରାଯାଉଥିଲା। ଖୋଦ୍‌ ଶ୍ରୀ ସିଂହଦେଓ ୨୦୧୪ ନିର୍ବାଚନକୁ ଶେଷ ଲଢେଇ ବୋଲି କହିଥିବା ବେଳେ ବିଧାୟକ ଶ୍ରୀ ମିଶ୍ର ମଧ୍ୟ ଭୋଟ ରାଜନୀତିରୁ ସନ୍ନ୍ୟାସ ନେବେ ଓ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗତ ଅକ୍ଟୋବର ୪ ତାରିଖ ‘ସମ୍ବାଦ’ ବାର୍ଷିକ ଉତ୍ସବରେ ଘୋଷଣା କରିଥିଲେ। ଏହା ପରେ ମଧ୍ୟ ବିଭିନ୍ନ ସଭା ସମିତିରେ ଏ କଥା ଦୋହରାଇଥିଲେ।

ତେଣୁ ୨୦୧୯ ନିର୍ବାଚନରେ ଶାସକ ଦଳ ପାଇଁ ଅନଙ୍ଗ ଉଦୟଙ୍କ ପୁଅ ଅର୍କେଶ ଓ ଶ୍ରୀ ମିଶ୍ରଙ୍କ ପୁଅ ସମରେନ୍ଦ୍ର ସାମ୍ନାସାମ୍ନି ହେବେ ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଥିଲା। କିନ୍ତୁ ପରିବର୍ତ୍ତିତ ରାଜନୀତିରେ ନୂଆ କଥା ସାମ୍ନାକୁ ଆସିଛି। ସକ୍ରିୟ ରାଜନୀତିରୁ ଦୂରେଇ ରହିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହୁଥିଲେ ବି କଂଗ୍ରେସ ଦଳ ତାଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି। ସବୁ ବିଧାୟକ ଟିକେଟ ପାଇବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଅଳ୍ପ କିଛି ଦିନ ମଧ୍ୟରେ ଦଳ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଅନୁମାନ କରାଯାଉଥିବା ବେଳେ ଶ୍ରୀ ମିଶ୍ର ପୁଣିଥରେ ବଲାଙ୍ଗୀର ଆସନରୁ ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ ହୋଇଯାଇଛି। ଏହି ଘୋଷଣା ତାଙ୍କ ସମର୍ଥକଙ୍କୁ ବେଶ୍‌ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି।

ତେବେ ଏ ନେଇ ନରସିଂହ କହନ୍ତି, କଥା ମତ ପରିବର୍ତ୍ତନର ନୁହେଁ। ମୁଁ ତ ୨୦୧୪ ନିର୍ବାଚନ ବି ଲଢ଼ିବି ନାହିଁ ବୋଲି ସେତେବେଳେ ରାହୁଲ ଗାନ୍ଧିଙ୍କୁ ଇ-ମେଲ ଦେଇଥିଲି। ଏମିତିରେ ମଧ୍ୟ ମୁଁ ଲଢ଼େ ବୋଲି ବିଭିନ୍ନ ମହଲରେ ମୋ ଉପରେ ଗତ ବର୍ଷେ ହେଲା ଚାପ ପଡୁଥିଲା ଅନ୍ୟ ପକ୍ଷରେ ୭୦ ବର୍ଷରୁ ଅଧିକ ବୟସ୍କ ନେତା ନିର୍ବାଚନ ଲଢ଼ିବା ଉଚିତ ନୁହେଁ ବୋଲି ମୋର ଏବେ ମଧ୍ୟ ମତ। ହେଲେ ଦଳର ହାଇକମାଣ୍ଡ ବାଧ୍ୟ କଲେ ମୁଁ ଲଢ଼ିବା ଛଡ଼ା ଅନ୍ୟ ଉପାୟ ନାହିଁ।

ସମ୍ବନ୍ଧିତ ଖବର