ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଧ୍ୟାପକଙ୍କ ଘରୁ ବାରୁଦ ଜବତ

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ କ୍ରାଇମବ୍ରାଞ୍ଚ ସୋମବାର ଭଇଁସା ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ରାମପୁରସ୍ଥିତ ପୈତୃକ ଘରୁ ପ୍ରାୟ ଅଧ ବ୍ୟାଗ୍‌ ବାରୁଦ ଜବତ କରିଛି। ଯାଞ୍ଚ ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଧ୍ୟାପକଙ୍କ ଘରେ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇ ଥିଲା। ଅଧ୍ୟାପକଙ୍କ ଘରୁ ବାରୁଦ ଜବତ ହେବା ପରେ କ୍ରାଇମବ୍ରାଞ୍ଚ ୫ଜଣଙ୍କୁ ନେଇ ପଚରାଉଚରା କରୁଛି। ଏହି ଘଟଣାରେ ରାଜକୁମାର ଦାସ ନାମକ ଜଣେ ବ୍ୟକ୍ତି ପଚରାଉଚରା କରି କ୍ରାଇମବ୍ରାଞ୍ଚ ଛାଡ଼ି ଦେଇଛି।

ସୂଚନାଯୋଗ୍ୟ ଫେବ୍ରୁଆରି ୨୩ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ୨ ମାସ ପୂରିଛି। ଉପହାର ଭାବେ ଆସିଥିବା ପାର୍ସଲ ନବ ବିବାହିତ ସୌମ୍ୟଶେଖର
ଏବଂ ତାଙ୍କ ଜେଜେମା’ଙ୍କ ଜୀବନ ନେଇ ଯାଇଥିଲା। ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ରୀମାରାଣୀ ନିକଟରେ ଘରକୁ ଫେରିଛନ୍ତି। ପ୍ରାୟ ୨ ମାସ ପରେ ମାମଲାର ତଦନ୍ତର ଦାୟିତ୍ୱ ନେଇଛି କ୍ରାଇମବ୍ରାଞ୍ଚ।

ମୃତ ସୌମ୍ୟଶେଖରଙ୍କ ମା’ କଲେଜର ଅଧ୍ୟକ୍ଷ ଥିବାରୁ ପୁଞ୍ଜିଲାଲ ମେହେର ସହ୍ୟ କରିପାରୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ମାମଲା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, କ୍ରାଇମବ୍ରାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି। ଏହି ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର