ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ମୁହଁ ଖୋଲିଲେ ମୃତ ସୌମ୍ୟଙ୍କ ବାପା

ପାଟଣାଗଡ଼/ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ନେଇ ମୃତ ସୌମ୍ୟଙ୍କ ବାପା ସୋମବାର ମୁହଁ ଖୋଲିଛନ୍ତି। ସୌମ୍ୟଙ୍କ ବାପାଙ୍କ କହିବାନୁସାରେ, ‘ନିର୍ବନ୍ଧର କିଛି ଦିନ ପୂର୍ବରୁ ସୌମ୍ୟ ପାଖକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଫୋନ୍‌ରେ ଜଣେ କେହି କହିଥିଲା ରୀମାକୁ ବାହାହେଲେ ପରିସ୍ଥିତି ଭୟଙ୍କର ହେବ। ସମ୍ପୃକ୍ତ ବ୍ୟକ୍ତି ଜଣକ ଉପକୂଳିଆ ଓଡ଼ିଆ ଭାଷାରେ ଧମକ ଦେଇଥିଲା। ଏହି କଲ ସମ୍ପର୍କରେ ପୁଅ ଭଣଜା ପପୁକୁ ଜଣାଇଥିଲା।’

ସୂଚନାଯୋଗ୍ୟ, ଫେବ୍ରୁଆରି ୧୮ ତାରିଖରେ ହୋଇଥିଲା ବାହାଘର। ୨୦ରେ ଭୋଜିଭାତ ବି ସରିଥିଲା। ବାହାରୁ ଆସିଥିବା ଅତିଥିମାନେ ଫେରିଯାଇଥିଲେ। ଫୁରୁସତ ପାଇ କିଏ କ’ଣ ଉପହାର ଦେଇଛନ୍ତି ତାହା ଦେଖୁଥିଲେ ବର-ବଧୂ। ପାଖରେ ଠିଆ ହୋଇଥିଲେ ସଂପର୍କୀୟ ଜେଜେ ମା’। ଗୋଟିଏ ପରେ ଗୋଟିଏ ଉପହାର ପ୍ୟାକେଟ୍‌ ଖୋଲା ହେଉଥିଲା, ହଠାତ ଏକ ଉପହାର ପ୍ୟାକେଟ୍‌ ଖୋଲିବା ବେଳେ ଘଟିଲା ପ୍ରଚଣ୍ଡ ବିସ୍ଫୋରଣ। ଥରିଗଲା ସମଗ୍ର ଅଞ୍ଚଳ। ପାଖପଡ଼ିଶା ଲୋକେ ଧାଇଁଆସି ଦେଖିବା ବେଳକୁ ଘର ଭିତର ଛିନ୍‌ଛତ୍ର ହୋଇଯାଇଥିଲା। କାନ୍ଥ ଫାଟି ଆଁ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ ତିନିଜଣ। ବରବଧୂଙ୍କ ପାଦର ଅଳତା, ହାତର ଗଇଁଠାଳ, ମେହେନ୍ଦି ସବୁକିଛି ଜୁଡ଼ୁବୁଡ଼ୁ ହୋଇଯାଇଥିଲା ରକ୍ତରେ।

ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ବର ଓ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା। ସେହିପରି ବଲାଙ୍ଗୀରରୁ ରାଉରକେଲା ଆଇଜିଏଚ୍‌କୁ ସୌମ୍ୟଙ୍କୁ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଆହତ ରିମାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏବେ ବି ନବବଧୂ ଅବସ୍ଥା ଏବେ ସଂକଟାପନ୍ନ ରହିଛି।

ତେବେ ଏହି ଘଟଣା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହୋଇଛି ବୋଲି ପୁଲିସ ସନ୍ଦେହ କରି ଯାଞ୍ଚ ଜାରି ରଖିଛି। ନବବଧୂଙ୍କ ବୟାନ ରେକର୍ଡ କରିବାକୁ ଯାଇଥିବା ପୁଲିସ ପକ୍ଷରୁ ପ୍ରକାଶ, ନବବଧୂ ପ୍ରଥମେ ତାଙ୍କୁ ପଚାରିଥିଲେ କି ତାଙ୍କ ସ୍ୱାମୀ କେମିତି ଅଛି। ତେବେ ଏହି ପ୍ରଶ୍ନକୁ ଏଡାଇ ଦେଇ ପୁଲିସ ନବବଧୂଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲା।

ସମ୍ବନ୍ଧିତ ଖବର