ମହିଳାଙ୍କଠାରୁ ଲୁଟି ନେଉଥିଲେ ଟଙ୍କା:ଲୋକଙ୍କ ହାବୁଡ଼ରେ ପଡ଼ିଗଲା ଲୁଟେରା, ନିସ୍ତୁକ ମାଡ଼

ବଲାଙ୍ଗୀର: ବଲାଙ୍ଗୀର ସହରର ଦୈନିକ ବଜାର। ଶୁକ୍ରବାର ଦିନ ୧ଟା ୪୦। ଭୁତିଆରବାହାଲ ପଞ୍ଚାୟତର ବ୍ରାହ୍ମଣୀଯୋର ଗାଁରୁ ଆସିଥିଲେ ୭ଜଣ ମହିଳା। ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଋଣ ଟଙ୍କା ଉଠାଇ ସେମାନେ ଘରକୁ ଫେରିଯିବାର ଯୋଜନା ଥିଲା। ପ୍ରାୟ ୨୧ ହଜାର ଟଙ୍କା ଋଣ ବାବଦକୁ ସେମାନେ ଉଠାଇଥିଲେ। ବିନୋଦିନୀ ଜାଲ୍‌ ନାମକ ମହିଳା ପଲିଥିନ୍‌ରେ ୨୧ ହଜାର ଟଙ୍କା ଧରି ବ୍ୟାଙ୍କରୁ ବାହାରିଥିଲେ। ରାସ୍ତା ଆରକଡ଼େ ଥିବା ଫଳ ଦୋକାନରୁ କିଛି କିଣୁଥିବା ବେଳେ ଏକ ପଲ୍‌ସର ବାଇକରେ ଦୁଇଜଣ ଯୁବକ ଆସିଲେ। ପଛରେ ବସିଥିବା ଯୁବକ ବିନୋଦିନୀଙ୍କ ହାତରୁ ଟଙ୍କା ପଲିଥିନ୍‌ ଛଡ଼ାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଟଙ୍କା ତଳେ ପଡ଼ି ଯାଇଥିଲା। ଟଙ୍କା ଲୁଟ କରୁଥିବା ଯୁବକ ବାଇକ୍‌ରେ ବସିବା ବେଳକୁ ବାଇକ୍‌ ସହ ଦୁଇଜଣ ପଡ଼ି ଯାଇଥିଲେ। ଉଠି ପଳାଇବାକୁ ଚାହୁଁଥିବା ବେଳେ ମହିଳାମାନେ ଚିତ୍କାର କରିଥିଲେ। ଲୋକେ ଘେରିଯାଇ ଜଣେ ଯୁବକକୁ କାବୁ କଲେ। କିନ୍ତୁ ପଛରେ ଥିବା ଆଉ ଏକ ବାଇକ ଦ୍ରୁତ ଗତିରେ ଆସି ଜଣେ ଯୁବକଙ୍କୁ ନେଇ ଫେରାର ହେଇଗଲା। କୌଣସି ସିନେମା ଦୃଶ୍ୟରୁ ଏହା କମ୍‌ ନଥିଲା। ତା’ପରେ ଅଟକ ଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସରେ ଜିମା ଦେଇଥିଲେ ଲୋକେ। ଟାଉନ୍‌ ପୁଲିସ ପିସିଆର ଯୁବକଙ୍କୁ ଥାନାକୁ ନଆଣି ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲା। ଏହି ଯୁବକଙ୍କ ନାଁ ଶିବ କୁସୁମ ଓ ସେ ଯାଜପୁର ଜିଲ୍ଲାର ବୋଲି ପୁଲିସକୁ କହିଛି। ସେ ପ୍ରକୃତରେ କେଉଁ ଅଞ୍ଚଳର ତାହା ପୁଲିସ ଯାଞ୍ଚ କରୁଛି। ବିଶେଷ କରି ଆସ୍କା, ଛତ୍ରପୁର ଅଞ୍ଚଳରୁ ଧୁରନ୍ଧର ଲୁଟେରାମାନେ ଲୁଟପାଟ କରି ଫେରାର ହେଉଥିବା ପୁଲିସ ପାଖରେ ପୂର୍ବରୁ ଖବର ରହିଛି। କିନ୍ତୁ ଅଟକ ଶିବ ଯାଜପୁର କହିବା ପରେ ପୁଲିସ ପାଇଁ ସମସ୍ୟା ହୋଇଛି। ତା’ସହ ଅନ୍ୟ କେଉଁମାନେ ଥିଲେ, ସେମାନେ କେଉଁଠି ରହନ୍ତି ତାହା ଜାଣିବା ପାଇଁ ପୁଲିସ ତନାଘନା ଚଳାଇଛି।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ସ୍ଥାନୀୟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କ ସହ ବିିଭିନ୍ନ ବ୍ୟାଙ୍କ ଓ ଗଳିରୁ ଟଙ୍କା, ସୁନାଚେନ୍‌ ଲୁଟ ଭଳି ଘଟଣା ଘଟୁଥିବା ବେଳେ ଏହି ଗ୍ୟାଙ୍ଗ ସଂପୃକ୍ତି ଥିବା ଆଶଙ୍କା କରାଯାଉଛି। ଜଣେ ଯୁବକକୁ ଧରିଥିବାରୁ ତାରି ଜରିଆରେ ଅନେକ ତଥ୍ୟ ହାତେଇବା ଆଶାରେ ରହିଛି ଟାଉନ୍‌ ଥାନା ପୁଲିସ।

ସମ୍ବନ୍ଧିତ ଖବର