ବିବାହ ପୂର୍ବରୁ ନାବାଳିକାକୁ ଉଦ୍ଧାର କଲା ପୁଲିସ

କୋକସରା: ବିବାହ ପାଇଁ ନିଆଯାଇଥିବା ଜଣେ ନାବାଳିକାକୁ କୋକସରା ବ୍ଲକ୍‌ ଆମପାଣି ପୁଲିସ ଉଦ୍ଧାର କରିଛି। କନିଆଁ ସଜବାଜ ହେବା ସହ ଭୋଜିଭାତର ପ୍ରସ୍ତୁତି ଚାଲିଥିଲା। କେବଳ ହସ୍ତଗଣ୍ଠି ପଡ଼ିବାକୁ ବାକି ଥିଲା। ହେଲେ ସୋମବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସବୁକିଛି ଯୋଜନା ପଣ୍ଡ ହୋଇ ଯାଇଥିଲା। ସଂପୃକ୍ତ ନାବାଳିକାର ମା’ର ଅଭିଯୋଗକ୍ରମେ ପୁଲିସ ଓ ଶିଶୁ ମଙ୍ଗଳ କମିଟି ହସ୍ତକ୍ଷେପ କରି ଝିଅକୁ ଉଦ୍ଧାର କରିଥିବା ପୁଲିସ ପ୍ରକାଶ କରିଛି।
ମିଳିଥିବା ସୂଚନାନୁଯାୟୀ, ଆମପାଣି ଥାନା ଅନ୍ତର୍ଗତ କୁଲେରଗୁଡା ଗ୍ରାମର ସୁନ୍ଦର ଲାଲ ନାଏକଙ୍କ ବଡ଼ ଝିଅ ସହିତ ଧର୍ମଗଡ଼ ଥାନା ଅନ୍ତର୍ଗତ ବଡ଼ଘୁମର ଗାଁର ଗୋକୁଳ ପୂଜାରୀଙ୍କ ସାନ ପୁଅର ବିବାହ ଗତ ୧୨ ତାରିଖ ଦିନ ସ୍ଥିର ହୋଇଥିଲା। କିନ୍ତୁ ଏହି ବିବାହରେ ସଂପୃକ୍ତ ଯୁବତୀ କୁଆଡ଼େ ରାଜି ନଥିଲେ। ଫଳରେ ଗତ ୧୦ ତାରିଖ ଦିନ ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ। ପରେ ଝିଅର ବାପା ଆମପାଣି ଥାନାରେ ଅଭିଯୋଗ କରିଥିଲେ ଓ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ପରେ ଦୁଇ ପରିବାର ମଧ୍ୟରେ ଆଲୋଚନା ହୋଇ ବଡ଼ ଝିଅ ବଦଳରେ ସାନ ଝିଅକୁ ବିବାହ ଦେବାକୁ ସ୍ଥିର ହୋଇଥିଲା। ସେହିଦିନ ସାନ ଝିଅକୁ ବର ପକ୍ଷ ଲୋକେ ବଡଘୁମରକୁ ନେଇ ଆସିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏହି ବିବାହ ହେବାକୁ ସ୍ଥିର ହୋଇଥିଲା। ହେଲେ ଏହି ବିବାହରେ ଝିଅର ମା’ ରାଜି ନଥିଲେ ଓ ଏନେଇ ଆମପାଣି ଥାନାରେ ଅଭିଯୋଗ କରିଥିଲେ। କାରଣ ସାନ ଝିଅ ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ସ୍କୁଲ ରେକର୍ଡ ଅନୁଯାୟୀ ତା’ର ବୟସ ମାତ୍ର ୧୪ ବର୍ଷ।

ଆମପାଣି ପୁଲିସ ମାମଲାରେ ତତ୍ପରତା ପ୍ରକାଶ କରି ଜିଲ୍ଲା ଶିଶୁ ମଙ୍ଗଳ ସମିତି ସହ ଯୋଗାଯୋଗ କରି ବିବାହ ଦିନ (ସୋମବାର) ହିଁ ସଦଳବଳେ ବଡଘୁମର ଗାଁରେ ଚଢ଼ଉ କରି ନାବାଳିକାକୁ ବର ଘରୁ ଉଦ୍ଧାର କରିଥିଲା। ଚଢ଼ଉରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ପୁଷ୍ପମିତ୍ରା କାନୁନଗୋ, ସଦସ୍ୟ ସଂପୂର୍ଣ୍ଣା ନନ୍ଦ ମହାନ୍ତି, କୋକସରା ସିଡିପିଓ ଜୟନ୍ତି ମହାନ୍ତି, ଧର୍ମଗଡ ସିଡିପିଓ ସୁଚରିତା ମହାପାତ୍ର, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ରାଜଲକ୍ଷ୍ମୀ ଦାସ, ଜି.ଏ. ଖାନ,ଆମପାଣି ଓଆଇସି ରାଜେନ୍ଦ୍ର ମହାପାତ୍ର, ଧର୍ମଗଡ ଆଇଆଇସି ପ୍ରବୀର କେଶରୀ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ। ଏନେଇ ଆମପାଣି ଥାନା ଅଧିକାରି ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବାବେଳେ ବୁଧବାର ନାବାଳିକାକୁ ଜିଲ୍ଲା ଶିଶୁ ସୁରକ୍ଷା ବୋର୍ଡ ନିକଟରେ ହାଜର କରାଯିବ କହିଥିଲେ। ସିଡବ୍ଳୁସି ସଦସ୍ୟ ଶୈଳେନ୍ଦୁ ମହାପାତ୍ରଙ୍କୁ ପଚାରିବାରୁ ପୁଲିସ ହସ୍ତାନ୍ତର ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର