ସଂରକ୍ଷିତ ଜଙ୍ଗଲରେ ଠିକାଦାରଙ୍କ ମନମୁଖୀ: ଶହ ଶହ ଗଛ ନଷ୍ଟ

ଟିଟିଲାଗଡ଼: ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥର ଝାରଦେବନ୍ଧ ଜଙ୍ଗଲ ନିକଟରେ ରହିଛି କର୍ଲାଯୋରରେ ବର୍ତ୍ତମାନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। କିଶନଲାଲ ଅଗ୍ରଓ୍ଵାଲ ଏହି କାମର ଠିକା ପାଇଥିବା ବେଳେ ପେଟି ଠିକାଦାର ପୃଥିରାଜ ପାତ୍ର ଏହାର କାମ କରୁଛନ୍ତି। ତେବେ ଠିକାଦାର ନିର୍ମାଣ କାମ ବାହାନାରେ ମନଇଚ୍ଛା ଜଙ୍ଗଲରେ ଗଛ କାଟି ଚାଲିଛନ୍ତି। ଇତିମଧ୍ୟରେ ଶହ ଶହ ଗଛ କଟାଯାଇଥିବା ଜଣାଯାଇଛି। ଏ ନେଇ ଟିଟିଲାଗଡ଼ ବନଖଣ୍ଡ ଅଧିକାରୀ ଜିତେନ୍ଦ୍ରିୟ ନନ୍ଦଙ୍କୁ ପଚାରିବାରେ ସେ ଏ ବିଷୟରେ ଅବଗତ ନଥିବା ତଥା ଏବେ ଖବର ପାଇବା ପରେ ବିଭାଗୀୟ କର୍ମଚାରୀଙ୍କୁ ପଠାଇ ଘଟଣା ବିଷୟରେ ତଦନ୍ତ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଜାତୀୟ ରାଜପଥ ବିଭାଗୀୟ ଯନ୍ତ୍ରୀ କୋମଳ ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯେ ହେତୁ ଏହି କାମ ଜଙ୍ଗଲ ମଧ୍ୟରେ ଚାଲିଛି ତେଣୁ ସେ ପ୍ରଥମରୁ ଠିକାଦାରଙ୍କୁ କୌଣସି ଗଛ ନଷ୍ଟ ନ କରିବା ପାଇଁ ତାଗିଦ କରିଥିଲେ। ହେଲେ ବର୍ତ୍ତମାନ ଯଦି ନିର୍ମାଣ କାମ ପାଇଁ ଜଙ୍ଗଲ ନଷ୍ଟ କରାଯାଇ ଥିବା କଥା ଉଠୁଛି ତେବେ ସେ ନିଶ୍ଚିତ ଭାବେ ଏହାର ତଦନ୍ତ କରିବା ସହ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର