ସଡ଼କ ଦୁର୍ଘଟଣା, ୪ ଆହତ

ଟିଟିଲାଗଡ଼/ବଙ୍ଗୋମୁଣ୍ଡା: ଗୁରୁବାର ବଙ୍ଗୋମୁଣ୍ଡା ନିକଟସ୍ଥ ଗନ୍ଧରାବନ୍ଧ ଠାରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି।
ସୂଚନା ମୁତାବକ ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ନିକଟସ୍ଥ ଛତରଙ୍ଗ ଗାଁର କୃଷ୍ଣଚନ୍ଦ୍ର ଦାସ (୪୭), ତାଙ୍କ ସ୍ତ୍ରୀ କେତକୀ ଦାସ (୪୪) ଓ ପୁତୁରା ପ୍ରୀତମ ଦାଶ ଏକ ବଲେରୋ (ଓଡି୦୨ବିଏନ ୦୦୬୯)ରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରକୁ ଯାଉଥିଲେ। ସେମାନେ ବଙ୍ଗୋମୁଣ୍ଡା ନିକଟସ୍ଥ ଗନ୍ଧରାବନ୍ଧ ନିକଟରେ ପହଞ୍ଚିଥିବା ବେଳେ ହଠାତ ଗାଡ଼ି ଭିତରୁ ଏକ ବିସ୍ଫୋରଣର ଶବ୍ଦ ଆସିଥିଲା। ଏହା ଶୁଣି ବଲେରୋ ଡ୍ରାଇଭର ନରୋତ୍ତମ ଦାସ ଗାଡିରୁ ଡେଇଁ ପଡ଼ିଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହୋଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଏଥିରେ ଗାଡ଼ିରେ ଥିବା କୃଷ୍ଣଚଦ୍ର, କେତକୀ ଓ ପ୍ରୀତମ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ କେତକୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ତାଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଗାଡ଼ିକୁ ଡେଇଁ ଚାଳକ ନରୋତ୍ତମ ବି ଆହତ ହୋଇଛନ୍ତି। ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର