ସର୍ବଶିକ୍ଷା ଅଭିଯାନ ‘ଶୌଚାଳୟ’ ଘୋଟାଲା:ବଲାଙ୍ଗୀରରେ ଓପେପା ଏସ୍‌ଇ

ବର୍ଷେ ପରେ ସ୍ଥିତି ଅନୁଧ୍ୟାନ

ବଲାଙ୍ଗୀର: ବଲାଙ୍ଗୀର ସର୍ବଶିକ୍ଷା ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍କୁଲରେ ଶୌଚାଳୟ ଓ ମୋଡେଲ କିଚେନ୍‌ ନିର୍ମାଣ ପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ଆର୍ଥିକ ସହାୟତା ଦେଇଥିଲେ। ବୈଷୟିକ ତାଲିମ ନେଇଥିବା ଲୋକଙ୍କୁ ସରକାର ସ୍ୱତନ୍ତ୍ର ଭାବେ ନିର୍ମାଣ କାର୍ଯ୍ୟ କରିବାକୁ ନିୟୋଜିତ କରିଥିଲେ। କିନ୍ତୁ ନିୟୋଜିତ କର୍ମଚାରୀମାନେ ଏଭଳି କାମ କରିଥିଲେ ଯେ, କେହି ଦେଖିଲେ ତାଜୁବ ହେଇଯିବ। ବର୍ଷେ ତଳେ ଏ ସଂପର୍କରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା ‘ସମ୍ବାଦ’ରେ। ଗୋଟିଏ କି ଦୁଇଟି ନୁହେଁ, ଜିଲ୍ଲାର ବିଭିନ୍ନ ସ୍କୁଲରେ ଶୌଚାଳୟ ଓ କିଚେନ ନିର୍ମାଣରେ ଘୋଟାଲା ହୋଇଥିବା ରିପୋର୍ଟ ହୋଇଥିଲା। ବିଭିନ୍ନ ପର୍ଯ୍ୟାୟରେ ବିଭାଗୀୟ ଅଧିକାରୀମାନେ କାମ ଦେଖି ଫେରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ଓପେପାର ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିରଂଜନ ରାୟ ବଲାଙ୍ଗୀର ଗସ୍ତରେ ଆସି ଶୌଚାଳୟ ଘୋଟାଲାର ନମୁନା ସବୁ ବୁଲି ଦେଖୁଛନ୍ତି।
ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍କୁଲରେ ୧୫୫୮ଟି ଶୌଚାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସେଥିରୁ ୧୧୯୧ଟି ସର୍ବଶିକ୍ଷା ଅଭିଯାନ ଅଧୀନରେ କରାଯାଉଥିବା ବେଳେ ୩୬୭ଟି ପଞ୍ଚାୟତିରାଜ ବିଭାଗ ପକ୍ଷରୁ କରାଯାଉଛି। ଜିଲ୍ଲାର ପୁଇନ୍ତଲା, ଲୋଇସିଂହା, ଦେଓଗାଁ, ଗୁଡଭେଲା, ଟିଟିଲାଗଡ, ଖପ୍ରାଖୋଲ ଓ ପାଟଣାଗଡରେ ବିଭିନ୍ନ ବ୍ଲକର ଜେଇମାନେ ଏହି ଶୌଚାଳୟ କାମ କରୁଛନ୍ତି। ଅନ୍ୟପଟେ ସର୍ବଶିକ୍ଷା ଅଭିଯାନରେ ଥିବା ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ଅଧୀନରେ ୧୪ଜଣ ବୈଷୟିକ ପରାମର୍ଶଦାତା(ଟିସି) ୧୪ଟି ବ୍ଲକରେ ଶୌଚାଳୟ ଓ ମୋଡେଲ ରୋଷେଇ ଘର କାମ ଦେଖୁଥିଲେ। ପ୍ରତି ଶୌଚାଳୟ ପାଇଁ ବ୍ୟୟ ଅଟକଳ ୧ଲକ୍ଷ ୫୩ ହଜାର ଟଙ୍କା।

୧୧ଶହ ୯୧ଟି ଶୌଚାଳୟ ପାଇଁ ୧୫କୋଟି ୨୨ ଲକ୍ଷ ୨୩ହଜାର ଟଙ୍କା ଦିଆଯାଇଥିଲା ସର୍ବଶିକ୍ଷା ଅଭିଯାନ ଆକାଉଣ୍ଟରେ। ଗତ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଏହି ଶୌଚାଳୟ କାମ ଶେଷ ହେବା ପାଇଁ ନିର୍ଦ୍ଧାରିତ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟରେ ତାହା ହୋଇପାରିଲା ନାହିଁ। ତଥ୍ୟ ଅନୁସାରେ, ୧୫ କୋଟି ଟଙ୍କା ଶୌଚାଳୟ ନିର୍ମାଣ ପାଇଁ ନିଆଯାଇଥିବା ବେଳେ ବିନିଯୋଗ ପ୍ରମାଣପତ୍ର(ୟୁସି) ଦେବାରେ ଅବହେଳା କରିଥିଲେ। ତତ୍କାଳୀନ ବରିଷ୍ଠ ବୈଷୟିକ ପରାମର୍ଶଦାତା ଦେବାଶିଷ ପାଣି ଦାୟିତ୍ୱରେ ଅବହେଳା କରିଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଆଶିଷ ଥାକରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିସନର୍‌ଙ୍କୁ ଚିଠି ଲେଖିଥିଲେ। ତାଙ୍କର ବଦଳି ବି ହୋଇସାରିଛି।
‘ସମ୍ବାଦ’ରେ ଖବର ପ୍ରକାଶ ପାଇବାର ବର୍ଷେ ପୂରିସାରିଲାଣି। ଏପରିକି ଦେଓଗାଁ ବ୍ଲକର ଏକ ସ୍କୁଲରେ ତାଲା ପଡିଥିବା ବେଳେ ସେଠାରେ ମଧ୍ୟ ଶୌଚାଳୟ ନିର୍ମାଣ କାହା ଉଦ୍ଦେଶ୍ୟରେ ବୋଲି ପ୍ରଶ୍ନ ବି ଉଠିଛି। ସେହିପରି ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାରେ ଶୌଚାଳୟ ଘୋଟାଲର ଚିତ୍ର ଦେଖିବାକୁ ବିଭାଗୀୟ ଅଧିକାରୀମାନେ ଆସୁଥିବା ବେଳେ ଏଥର ଓପେପାର ଏସ୍‌ଓ ଶ୍ରୀ ରାୟ ଦୁଇ ଦିନ ହେଲା ବଲାଙ୍ଗୀରରେ ଅବସ୍ଥାନ କରୁଛନ୍ତି। ସେ ଶୌଚାଳୟ ନିର୍ମାଣ କାମ ବୁଲି ବୁଲି ଦେଖୁଛନ୍ତି। ଗୁରୁବାର ଶ୍ରୀ ରାୟ ଏସ୍‌ଏସ୍‌ଏ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଧନଞ୍ଜୟ ମହାପାତ୍ର ଓ ଅନ୍ୟ ଅଧିକାରୀମାନଙ୍କ ସହ ଖପ୍ରାଖୋଲ, ତୁରେକେଲା, ବେଲପଡ଼ା ବ୍ଲକର ବିଭିନ୍ନ ସ୍କୁଲରେ ନିର୍ମାଣ ହୋଇଥିବା ଶୌଚାଳୟ ଦେଖିଛନ୍ତି। ତେବେ ଶୌଚାଳୟ ପରିଦର୍ଶନ ବେଳେ ସେ କ’ଣ ଦେଖିଲେ ସେନେଇ କୌଣସି ପ୍ରତିକ୍ରିୟା ଏସ୍‌ଇ ଶ୍ରୀ ରାୟଙ୍କଠାରୁ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର