ଶଙ୍କରଭୋଜି ଛକରେ ସଡ଼କ ଦୁର୍ଘଟଣା:ଟ୍ରାକ୍ଟର ଧକ୍କାରେ ୧ ମୃତ, ରାଜପଥ ଅବରୋଧ

ବଲାଙ୍ଗୀର: ବଲାଙ୍ଗୀର-ସମ୍ବଲପୁର ରୋଡ୍‌ ଛତାମଖନା ନିକଟ ଶଙ୍କରଭୋଜି ଛକରେ ଶୁକ୍ରବାର ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କରିବା ଯୋଗୁଁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ଯୋଗୁଁ ବହୁ ଗାଡି ରାସ୍ତାରେ ଦୀର୍ଘ ସମୟ ଅଟକି ରହିଥିଲେ। ପରେ ପୁଲିସ ପହଞ୍ଚି ଗାଡି ଚଳାଚଳ ସ୍ୱାଭାବିକ କରିଥିଲା।
ଓଆର୍‌ ୦୩ଇ ୯୪୫୬ ନମ୍ବର ବାଇକ୍‌ରେ ଦୁଇ ଜଣ ଯୁବକ ବଲାଙ୍ଗୀରରୁ ଲୋଇସିଂହା ଆଡ଼କୁ ଯାଉଥିଲେ। ତେବେ ଶଙ୍କରଭୋଜି ନିକଟରେ ଏକ ଟ୍ରାକ୍ଟର ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଉଭୟ ବାଇକ ଚାଳକ ଗୁରୁତର ହୋଇ ପଡିଥିଲେ। ଜଣେ ଆହତଙ୍କୁ ଉଦ୍ଧାର କରି ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଜଣଙ୍କ ହେଉଛନ୍ତି ଫାସଡ଼ ଗାଁର ସତ୍ୟାନନ୍ଦ ବରାଡ଼ (୩୦)। ତେବେ ଆଉ ଜଣେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ରାସ୍ତା ଉପରେ ହିଁ ତାଙ୍କର ପରଲୋକ ହୋଇଯାଇଥିଲା। ମୃତକଙ୍କ ଘର ଫାସଡରେ ଓ ତାଙ୍କ ନା ସରଣ ବେହେରା ବୋଲି ଜଣାପଡ଼ିଛି। ଶଙ୍କରଭୋଜି ଛକରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଲୋକେ ପୁଇଁନ୍ତଲା ଥାନାକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କରିବାରୁ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ବ୍ୟସ୍ତବହୁଳ ୨୬ନମ୍ବର ଜାତୀୟ ରାଜପଥ ଜାମ୍‌ ହୋଇଯାଇଥିଲା। ବିଳମ୍ବରେ ଘଟଣାସ୍ଥଳରେ ପୁଇଁନ୍ତଲା ପୁଲିସ ପହଞ୍ଚିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ଜାମ ଲାଗି ରହିବା ପରେ ମୃତକଙ୍କ ଶବ ପୁଲିସ ରାସ୍ତାରୁ ଉଠାଇବା ଓ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିବା ପରେ ମାମଲାର ସମାଧାନ ହୋଇଥିଲା। ଲୋକେ ରାସ୍ତାରୁ ଓହରି ଯାଇଥିଲେ। ପୁଇନ୍ତଳା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି। ଅନ୍ୟପଟେ ଗୁରୁତର ଥିବା ବାଇକ ଚାଳକ ସତ୍ୟାନନ୍ଦଙ୍କୁ ବଲାଙ୍ଗୀରରୁ ବୁର୍ଲା ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର