ବଲାଙ୍ଗୀର: ସଡକ ଦୁର୍ଘଟଣାରେ ପୁଅର ଜୀବନ ଗଲା, ମା’ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଲର୍କି ଗାଁ ନିକଟସ୍ଥ ସେମଲା ଛକ ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମା’ ଗୁରୁତର ହୋଇଥିବା ବେଳେ ପୁଅଙ୍କ ମୃତ୍ୟୁ ଘଟିଛି। ତୁରେକେଲା ଗାଁ ପୁଅ ସମିର ପାତ୍ର ଏବଂ ତାର ମା’ ପ୍ରେମଲତା ପାତ୍ର ତାଙ୍କ ଝିଅଘର ବୌଦ୍ଧ ଜିଲ୍ଲାର କଂଟାମାଳରୁ ବାଇକ ଯୋଗେ କଂଟାବାଞ୍ଜି ରାସ୍ତା ଦେଇ ଘରକୁ ଫେରୁଥିଲେ।

ଝିଅ ଘରେ ଏକ ଝିଅ ଜନ୍ମ ହୋଇଥିବାରୁ ମା’ ଓ ପୁଅ ଗୁରୁବାର ବୌଦ୍ଧ ଜିଲ୍ଲା ଯାଇଥିଲେ। ନିଜ ଗାଁରେ ବାହୁଡ଼ା ଯାତ୍ରା ହେଉଥିବାରୁ ଆଜି ଘରକୁ ଫେରୁଥିଲେ। କିନ୍ତୁ ଘରକୁ ପହଂଚିବାର ୩ କିଲୋମିଟର ପୁର୍ବରୁ ଏକ ପିକଅପ ଗାଡି (ସିଜି ୦୪ ଏଲଏଚ  ୦୨୭୯) ସେମଲା ଛକ ପାଖରେ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇ ଯାଇଥିଲା। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଯାଇଥିଲା। ମା’ଙ୍କୁ ଗୁରୁତର ଅବସ୍ଥାରେ ଏକ ଚାଷ ଜମି ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍‌ସ ଯୋଗେ କଂଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଜିଲ୍ଲା ମୂଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସଂପର୍କରେ ଖବର ପାଇଁ ଗାଁ ଲୋକ ପହଂଚି ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିବା ସହିତ କ୍ଷତି ପୁରଣ ଦାବି କରିଛନ୍ତି। କଂଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝି, ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁ, ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛନ୍ତି। ଆନ୍ଦୋଳନକାରୀ ମାନେ ନିଜ ଜିଦ ଅଟଲ ରହିବା ସହ ଦୁର୍ଘଣନା ଘଟାଇଥିବା ଗାଡିରେ ନିଆଁ ଲଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର