୫ ଶିକ୍ଷକଙ୍କ ଦରମା ବନ୍ଦ ଓ ଜଣେ ନିଲମ୍ବିତ

ସ୍କୁଲ କୋଠା ନିର୍ମାଣରେ ଅବହେଳା

ଦେଓଗାଁ: ସ୍କୁଲ୍‌ କୋଠା ନିର୍ମାଣ ଦାୟିତ୍ୱ ନେଇ ଠିକ୍‌ ସମୟରେ ଶେଷ କରି ପାରି ନଥିବାରୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଦେଓଗାଁ ବ୍ଲକ୍‌ର ୫ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି ଓ ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।
ଏହି ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଟାଙ୍ଗରୁପଦର ୟୁପି ସ୍କୁଲର ଜିଲ୍ଲା ପରିଷଦ ଶିକ୍ଷକ ଏହି ସ୍କୁଲ କୋଠା ନିର୍ମାଣ ଦାୟିତ୍ୱ ନେଇଥିଲେ। ଏଥିପାଇଁ ଟଙ୍କା ଉଠାଣ ହୋଇଥିଲେ ମଧ୍ୟ ସ୍କୁଲ କୋଠା ଅଧପନ୍ତରିଆ ଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଉଡ଼ାର ପଞ୍ଚାୟତ ମହମ୍ମଦପୁର ସ୍କୁଲର ଶିକ୍ଷକ ଏମ. ଈଶ୍ୱର ସ୍କୁଲ କୋଠା ନିର୍ମାଣ ପାଇଁ ଦାୟିତ୍ୱ ନେଇଥିଲେ। ଏହି କାମ ଶେଷ କରି ନ ଥିଲେ ଓ ବର୍ତ୍ତମାନ ସେ ଥାଲବନ୍ଧ ସ୍କୁଲକୁ ବଦଳି ହୋଇ ଯାଇଥିଲେ। ଏହି କାରଣରୁ ତାଙ୍କ ଦରମା ବନ୍ଦ କରାଯାଇଛି।

ସେହିପରି ରାମଚନ୍ଦ୍ରପୁର ସିଆରସିସି ତଥା ବରଘାଟି ସ୍କୁଲର ଶିକ୍ଷକ ମହେନ୍ଦ୍ର ଧରୁଆ ରାମଚନ୍ଦ୍ରପୁର ପଞ୍ଚାୟତ ପିଲାତିମହୁଲର ଶିକ୍ଷକ ହେମସାଗର ଭୋଇ, ଗାଈବାହାଲ ସ୍କୁଲ କୋଠା ନିର୍ମାଣ କରିବା ପାଇଁ ଦାୟିତ୍ୱ ନେଇଥିବା ଓ ବର୍ତ୍ତମାନ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ସ୍କୁଲରେ ଥିବା ଶିବ ନାରାୟଣ ଚିରଗୁନ, ମକୁନ୍ଦପୁର ପଞ୍ଚାୟତର ଜମଝରନ ସ୍କୁଲର ଶିକ୍ଷକ ତଥା ବର୍ତ୍ତମାନ ଗୌଡ଼ଗୋଠ ସ୍କୁଲରେ ଥିବା ଶିକ୍ଷକ ବୈବସୁତ ପଧାନଙ୍କ ଗତ ଅଗଷ୍ଟ ମାସରୁ ଦରମାର ଦିଆଯାଇ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

କେବଳ ଏମାନେ ନୁହନ୍ତି ଅନେକ ଶିକ୍ଷକ କୋଠା ନିର୍ମାଣ ଆଳରେ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏସଏସଏ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ୫୦ରୁ ଅଧିକ ସ୍କୁଲ କୋଠା ନିର୍ମାଣ ବାକି ରହିଛି। ନିର୍ମାଣରେ ବିଳମ୍ବ ହେବାରୁ ସମ୍ପୂର୍ଣ୍ଣ କରିବା ପାଇଁ ଅଟକଳ ବାହାରେ ଅଧିକ ଟଙ୍କା ଆବଶ୍ୟକ ପଡ଼ୁଛି। ବାକି ଥିବା ଅଧାରୁ ଅଧିକ କୋଠା ଛାତ ପଡ଼ିଯାଇଛି କେବଳ ଫିନିସଙ୍ଗ କାମ ଅଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, କୋଠା ନିର୍ମାଣ ଦାୟିତ୍ୱ ନେଇଥିବା ଅନେକ ଶିିକ୍ଷକ ଅବସର ନେଇଥିବା ବେଳେ ଅନେକ ଶିକ୍ଷକ ମୃତ୍ୟୁବରଣ କରିସାରିଛନ୍ତି। ଏ ପରିପ୍ରେକ୍ଷୀରେ କେଉଁ ଅନୁଦାନରୁ ଟଙ୍କା ଆଣି ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର