ଲଗାଣ ବର୍ଷା ଯୋଗୁଁ ତେଲ ନଦୀରେ ବନ୍ୟା:ଉଦ୍ଧାର ହେଲେ ୨୪ ଜଳବନ୍ଦୀ

ଟିଟିଲାଗଡ଼: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ତେଲନଦୀ ଅସ୍ୱାଭାବିକ ଭାବେ ଫୁଲିବାରେ ଲାଗିଛି। ଉପରମୁଣ୍ଡରୁ ବନ୍ୟାଜଳ ନଦୀରେ ଆସିବା ହେତୁ ଟିଟିଲାଗଡ ବ୍ଲକ ବାଞ୍ଜିପଦର ଗାଁରେ ଥିବା ଇନଟେକ େଓ୍ଵଲରେ ବୁଧବାର ଅପରାହ୍ନରେ ଜଣେ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ୧୭ ଜଣ ବିଦ୍ୟୁତ କର୍ମଚାରୀ ମରାମତି କରୁଥିଲେ। ହଠାତ ନଦୀ ଫୁଲିବା ଆରମ୍ଭ କରିବାରୁ କର୍ମଚାରୀମାନେ ଜଳବନ୍ଦୀ ହୋଇ ରହି ଯାଇଥିଲେ। ଖବର ପାଇ ସିହିନୀ ଯୁବ ବାହିନୀ ସଭାପତି ସୁମନ୍ତ ବେହେରା, ବାଞ୍ଜିପଦର ଯୁବ ବାହିନୀ ସଂପାଦକ ଦିନେଶ ନାଗ ପ୍ରମୁଖ ପ୍ରଶାସନକୁ ଅବଗତ କରିଥିଲେ। ଟିଟିଲାଗଡ଼ ଅଗ୍ନିଶମ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ସେଠୀ ସଦଳବଳେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଟିଟିଲାଗଡ଼ ଅତିରିକ୍ତ ତହସିଲଦାର ନରେନ୍ଦ୍ର ପ୍ରଧାନ, ବାଞ୍ଜିପଦର ସରପଞ୍ଚ ନବ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇଥିଲେ। ସେହିପରି ଗୁରୁବାର ସକାଳେ ମଧ୍ୟ ସଇନ୍ତଲା ବ୍ଲକ ଚୋରମରା ନିକଟରେ ନିର୍ମାଣାଧୀନ ମେଗା ଲିଫ୍‌ଟ ଇରିଗେସନ ପଏଣ୍ଟରେ ଜଣେ କର୍ମଚାରୀ ଜଳବନ୍ଦୀ ହୋଇ ରହି ଯାଇଥିଲେ। ତାଙ୍କୁ ମଧ୍ୟ ଟିଟିଲାଗଡ଼ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଥିଲେ। ଲଗାଣ ବର୍ଷା ଯୋଗୁଁ ବୁଧବାର ଅପରାହ୍‌ଣରୁ ଟିଟିଲାଗଡ଼ ବେଲଗାଁ ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇ ପଡ଼ିଛି। ଏହି ରାସ୍ତାର ଭିକାବାହାଲି ଯୋର, ସିଲେଟପଡା ଗାଁ, ଢବାପଡା ପଙ୍ଗନିଆ ନାଲା, ତରାସିଂହା ଯୋର ଆଦିରେ ରାସ୍ତା ଉପରେ ପାଣି ଚାଲୁଥିବା ବେଳେ ପାଣି କମିଲେ ଯାନବାହନ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣା ପଡ଼ିଛି।
ସଇଁନ୍ତଲା ବ୍ଲକ୍‌ ସିସକେଲା, ଘୁନସର ଓ କଅଁସର ଅଂଚଳରେ ବନ୍ୟା ପାଣି ପ୍ରବାହିତ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ବେଲଗାଁରୁ ଘୁନସର ପର୍ଯ୍ୟନ୍ତ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁଁ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ବୁଧବାର ସନ୍ଧ୍ୟାରେ ତହସିଲଦାର ସ୍ୱଦୀପ ଟପୋ, ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ, ଜିପିଇଓ କିଶୋର ଚନ୍ଦ୍ର ମାନସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। କଅଁସର ଗାଁର ତେଲନଦୀ ନିକଟରେ ଥିବା ଶିବ ମନ୍ଦିରର ପୂଜକ ବାବା ଗୌରଚନ୍ଦ୍ର ଦାସ ଜଳବନ୍ଦୀ ହୋଇ ରହିଯାଇଥିଲେ। ଆମ୍ବପାଲି ପଞ୍ଚାୟତ କୁସମାଲ ବୃହତ ଉଠା ଜଳସେଚନ ପ୍ରକଳ୍ପର ପମ୍ପହାଉସରେ କାର୍ଯ୍ୟରତ ରଂଜନ ବେହେରା, ମନୋଜ ବେହେରା ଏବଂ ଭୁସକିମାଲ ପମ୍ପହାଉସରେ କାର୍ଯ୍ୟରତ ମହନ ବସ୍ତିଆ ଓ ପ୍ରଶାନ୍ତ ସାହୁ ମଧ୍ୟ ରାତିସାରା ଜଳ ବନ୍ଦୀ ହୋଇ ରହିଥିଲେ। ସକାଳେ ଟିଟିଲାଗଗଡ଼ରୁ ବୋଟ ଅଣାଯାଇ ସମସ୍ତ ଜଳବନ୍ଦୀଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର